ଅଂଶୁଘାତ ହେଲେ କଣ କରିବେ
ଅଂଶୁଘାତ ହେଲେ କଣ କରିବେ
admin
Apr 24, 2022 - 11:48
Updated: Apr 24, 2022 - 11:48
ରାଜ୍ୟରେ ଏବେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଚାଲିଛି। ଏ ସମୟରେ ଅଂଶୁଘାତ ଆଶଙ୍କା ବଢ଼ିଛି । ମନୁଷ୍ୟ ଅଂଶୁଘାତରେ ଶିକାର ହେଲେ ସଂଗେ ସଂଗେ ଥଣ୍ଡା ସ୍ଥାନକୁ ନେଇ ରୋଗୀ ପିନ୍ଧିଥିବା ପୋଷାକକୁ ଢିଲା କରି ଦିଅନ୍ତୁ। ଖୋଲା ଥଣ୍ଡା ପବନ ସଂସ୍ପର୍ଶରେ ସଂପୃକ୍ତ ବ୍ୟକ୍ତିଙ୍କୁ ରଖିବା ଦରକାର। ମାଟିପାତ୍ରରେ ଥିବା ଥଣ୍ଡା ଜଳ ଦ୍ୱାରା ଗାଧୋଇବା ଦ୍ୱାରା ଆରାମ ମିଳିଥାଏ। ପଇଡ଼ ପାଣି, ଲେମ୍ଭୁ, ଲୁଣ, ଚିନି ମିଶା ଥଣ୍ଡା ଜଳ, ଫଳ ରସ, ଦହି ସର୍ବତ ଆଦି ପିଆଇବା ଉଚିତ। ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥାକୁ ଦେଖି ଆବଶ୍ୟକସ୍ଥଳେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଆବଶ୍ୟକ।
ଅଂଶୁଘାତ ପାଇଁ ସତର୍କତା
ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ ନିହାତି ଜରୁରୀ କାମ ନ ଥିଲେ ପଦାକୁ ବାହାରିବା ଅନୁଚିତ। ଅଧିକ ପାଣି ପିଅନ୍ତୁ। ଧଳା ଟୋପି କିମ୍ବା ଓଦା ଗାମୁଛା ମୁଣ୍ଡରେ ପିନ୍ଧିବା, କଳା ଚଷମା ଲଗାଇବା, ଛତା ଧରି ବାହାରିବା ସହ କପା ସୂତାରେ ତିଆରି ଧଳା ରଙ୍ଗର ପତଳା, ହାଲୁକା, ଢିଲା ବସ୍ତ୍ର ପରିଧାନ କରିବା ଉଚିତ। ଅଂଶୁଘାତ ପ୍ରତିରୋଧ ପାଇଁ ଅଧିକ ଥଣ୍ଡାପାଣି, ଦହି, ସର୍ବତ, ପିଇ ପାରନ୍ତି। ସାଧରଣତଃ ଅସ୍ବାଭାବିକ ରକ୍ତଚାପ ଥିବା ବ୍ୟକ୍ତି, ଡାଇବେଟିସ୍, ଯକ୍ଷ୍ମାରେ ସଂକ୍ରମିତ ରୋଗୀ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ବୟସ୍କ, ଗର୍ଭବତୀ, ଖରାରେ ଅଧିକ କାମ କରୁଥିବା ବ୍ୟକ୍ତି, ଅଧିକ ମୋଟାପଣ ଥିବା ବ୍ୟକ୍ତି, ଦୀର୍ଘସ୍ଥାୟୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଅଂଶୁଘାତରେ ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଥାଏ। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିବର୍ଷ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲ କାଟିବା, କଳକାରଖାନା ତଥା ଗାଡ଼ିମୋଟର ଆଦିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଦ୍ୱାରା ଜଳବାୟୁରେ ମାତ୍ରାଧିକ ଉତ୍ତାପ ବୃଦ୍ଧି ଘଟୁଛି। ଜଳବାୟୁରେ ଅସ୍ବାଭାଭିକ ଗରମ ଅନୁଭୂତ ହୋଇ ଅଂଶୁଘାତର ଆଶଙ୍କା ଅଧିକ ହୋଇଥାଏ। ତେଣୁ ଅଂଶୁଘାତଜନିତ ସମସ୍ୟାକୁ କମାଇବା ପାଇଁ ଆମେ ନିଜେ ସତର୍କତା ଅଲମ୍ବନ କରିବା ସହ ସବୁ ସ୍ତରରେ ସତର୍କତା ଓ ସଚେତନତାର ଆବଶ୍ୟକତା ରହିଛି।