ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ରାଜନଗର : କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଗତ ମେ’ ୧ରୁ ଚଳିତ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହା ପର୍ୟ୍ୟଟକଙ୍କ ପାଇଁ ଖୋଲିବ । ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଜୈବ ବିବିଧତାର ସୁରକ୍ଷା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏ ନେଇ ପର୍ୟ୍ୟଟକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯିବ । ଏହାବାଦ୍‌ ପ୍ଲାଷ୍ଟିକ ବୋତଲ ମଧ୍ୟ ପର୍ୟ୍ୟାୟ କ୍ରମେ ବନ୍ଦ କରାଯିବ । ପର୍ୟ୍ୟଟକମାନେ ଯେତିକି ସଂଖ୍ୟକ ପ୍ଲାଷ୍ଟିକ୍‌ ପାଣି ବୋତଲ ଭିତରକନିକା ମଧ୍ୟକୁ ନେବେ, ଫେରିଲା ବେଳେ ସେମାନେ ସେତିକି ବୋତଲ ଧରି ଫେରିବେ । କୌଣସି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ବୋତଲ ଭିତରକନିକା ଜଙ୍ଗଲ କିମ୍ବା ନଦୀନାଳ ମଧ୍ୟକୁ ଯେପରି ନ ଫିଙ୍ଗନ୍ତି, ସେଥିପାଇଁ ସଚେତନ କରାଯିବ ।

ଏଥିସହ ପର୍ୟ୍ୟଟକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବ ବିବିଧତାର ସୁରକ୍ଷା ପାଇଁ ପର୍ୟ୍ୟଟକମାନେ ପଲିଥିନ ଓ ପ୍ଲାଷ୍ଟିକ୍‌ ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼ାଇବାକୁ କନିକା ରେଂଜ୍‌ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି।

ପଲିଥିନ୍‌ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ ଝୋଟରେ ପ୍ରସ୍ତୁତ ବ୍ୟାଗ୍‌ରେ ବ୍ୟବହାର୍ୟ୍ୟ ସାମଗ୍ରୀ ଭିତରକନିକା ମଧ୍ୟକୁ ନେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି।