ଆଜିଠୁ ଓଡ଼ିଶା ଭିତରେ ଗଡ଼ିବ ଟ୍ରେନ୍ ।
ଆଜିଠୁ ଓଡ଼ିଶା ଭିତରେ ଗଡ଼ିବ ଟ୍ରେନ୍ ।
admin
Jun 8, 2020 - 07:07
Updated: Jun 8, 2020 - 07:07
ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ଭିତରେ ଗଡ଼ିବ ଟ୍ରେନ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୬ଟି ଟ୍ରେନ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକ ଜୁନ ୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ । ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଥିବାରୁ ଏହି ଦୁଇ ଦିନ ଟ୍ରେନ ଚାଲିବ ନାହିଁ । ତେବେ କୋରାପୁଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ରବିବାର କୋରାପୁଟ ଛାଡ଼ିବ ।
ପୂର୍ବତଟ ରେଳପଥ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ପ୍ରତି ଦିନ ସକାଳ ୬ ଟା ୩୦ ରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ବେଳେ ଅପରାହ୍ନ ୨ ଟା ୪୫ ରେ ବଲାଙ୍ଗୀର ଛାଡ଼ିବ । ଏହା ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ ମେରାମଣ୍ଡଳି, ତାଳଚେର ରୋଡ, ଅନୁଗୁଳ, ବଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର ରୋଡ, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଙ୍ଗା ଷ୍ଟେସନରେ ଅଟକି । ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୩୭ / ୦୮୪୩୮) ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଓ ଜୁନ ୯ ତାରିଖରୁ ଜୁଲାଇ ୧ ମଧ୍ୟରେ ସକାଳ ୭ଟା ୩୦ ରେ ଭଦ୍ରକରୁ ଛାଡ଼ିବ । ଏହି ଟ୍ରେନ କେବଳ କଟକ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୩୭/୦୮୪୩୮) ସନ୍ଧ୍ୟା ୫ଟା ୩୦ ରେ ଭୁବନେଶ୍ୱର ଓ ସକାଳ ୭ ଟାରେ ବ୍ରହ୍ମପୁର ଷ୍ଟେସନ (ଜୁନ ୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ) ଛାଡ଼ିବ । ଏହା ଖୋର୍ଦ୍ଧାରୋଡ, ନିରାକାରପୁର, ଭୁଷଣ୍ଡପୁର, କାଳୁପଡ଼ାଘାଟ, ବାଲୁଗାଁ, ଖଲ୍ଲିକୋଟ ଓ ଛତ୍ରପୁର ଷ୍ଟେସନରେ ଅଟକିବ । ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ (୦୮୩୦୩/୦୮୩୦୪) ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ ଟା ୫୫ ରେ ଖୋର୍ଦ୍ଧାରୋଡ ଛାଡ଼ିବ । ଗସ୍ତ ସମୟରେ ଏହି ଟ୍ରେନ ସମ୍ବଲପୁର ରୋଡ, ଜୁଜୁମରା, ରେଢ଼ାଖୋଲ, ବାମରା, ବଇଣ୍ଡା, ଜରପଡ଼ା, ଅନୁଗୁଳ, ତାଳଚେର ରୋଡ, ମେରାମଣ୍ଡଳି, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଷ୍ଟେସନରେ ରହିବ ।
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ (୦୮୪୪୭ /୦୮୪୪୮) ସପ୍ତାହକୁ ୩ ଥର ଚାଲିବ । ଜୁନ ୮ ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ ସୋମବାର, ବୁଧବାର ଓ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ ରେ ଭୁବନେଶ୍ୱର ଛାଡ଼ିବ ଏବଂ ଜୁନ ୯ ରୁ ଜୁନ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଓ ରବିବାର ସନ୍ଧ୍ୟା ୫ଟା ୩୦ ରେ କୋରାପୁଟରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ସେହିପରି ରାଉରକେଲା ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ସକାଳ ୫ଟା ୧୦ରେ ରାଉରକେଲା ଓ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ ରେ ଛାଡ଼ିବ । ଏହି ଟ୍ରେନ ରାଜଗାଙ୍ଗପୁର, ବାମରା, ଝାରସୁଗୁଡ଼ା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢ଼େଙ୍କାନାଳ ଓ ନରାଜ ମାର୍ଥାପୁର ଷ୍ଟେସନରେ ରହିବ । ଯାତ୍ରୀମାନେ ସଂରକ୍ଷଣ କାଉଣ୍ଟର ଓ ଆଇଆରସିଟିସି ୱେବସାଇଟରେ ଟିକେଟ କରିପାରିବେ । କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ଟ୍ରେନରେ ଚଢ଼ିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।