ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି : ଆସନ୍ତାକାଲି ହେବ କୋଟିଆ ଶୁଣାଣି
ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି : ଆସନ୍ତାକାଲି ହେବ କୋଟିଆ ଶୁଣାଣି
admin
Feb 11, 2021 - 07:10
Updated: Feb 11, 2021 - 07:10
ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି । ଆବେଦନକୁ ଖାଲି ଗ୍ରହଣ କରିନାହାନ୍ତି ମାମଲାର ଶୁଣାଣି କରିବାକୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ଜରୁରୀ ଶୁଣାଣି ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା ।
ପ୍ରକାଶ ଯେ, କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ କୋର୍ଟ ଅବମାନନା ଅଭିଯୋଗ ଉଠାଇ ଓଡ଼ିଶା ସରକାର ପିଟିସନ୍ ରୁଜୁ କରିଛନ୍ତି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ ଦାୟର ହୋଇଛି।
ଏହାବ୍ୟତୀତ କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମଧ୍ୟ ପିଟିସନ୍ ଦାଖଲ କରାଯାଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।