ଓମିକ୍ରନ୍‌ ମୁକାବିଲା, ରଣନୀତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଓମିକ୍ରନ୍‌ ମୁକାବିଲା, ରଣନୀତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଓମିକ୍ରନ୍‌ ମୁକାବିଲା, ରଣନୀତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ର ମୁକାବିଲା କରିବାକୁ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି। ଆଜି ଓମିକ୍ରନ୍‌ ମୁକାବିଲାର  ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୬ଟା ୩୦ରେ ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବେ । ଦେଶରେ ବଢୁଥିବା ଓମିକ୍ରନ୍ ସଂକ୍ରମଣକୁ ନେଇ ଏହି ବୈଠକରେ ଆଲୋଚନା ହେବ । ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ  ଟିକାକରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ ।

ସେହିପରି ରାଜ୍ୟରେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ବିଭିନ୍ନ ଜିଲ୍ଲାର କୋଭିଡ ସ୍ଥିତି ଅନୁଧ୍ୟାନ କରି ଏହା କହିଛନ୍ତି  । ଏଥି ସହିତ ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ବି ଦେଇଛନ୍ତି  ।

ଓମିକ୍ରନ ସଂକ୍ରମଣ ହାର ବଢୁଥିବାରୁ ଶୀଘ୍ର ଟିକା ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ୨୦୨୨ ଜାନୁୟାରୀ ୧୫ ସୁଦ୍ଧା ଟିକାକରଣ ଶତ ପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗ୍ରାମୱାରୀ ଟିକାକରଣ ସୂଚୀ ଆଗୁଆ ଗାଁଗୁଡ଼ିକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସୂଚନାଯୋଗ୍ୟ, ଏଯାବତ୍ ଦେଶରେ ୨୩୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪ଜଣ ଆରୋଗ୍ୟ ହୋଇସାରିଛନ୍ତି  । ମହାରାଷ୍ଟ୍ରରୁ ସର୍ବାଧିକ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୬୪, ତେଲେଙ୍ଗାନାରେ ୨୪, ରାଜସ୍ଥାନରେ ୨୧, କର୍ଣ୍ଣାଟକରେ ୧୯, କେରଳରେ ୧୫, ଗୁଜରାଟ ୧୪ଜଣ, ଓଡିଶାରୁ ୨ଜଣ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି  ।