କଂଗ୍ରେସରୁ ନେତା ପୋଚିଂ ବିଜେଡିକୁ ପଡିବ ମହଙ୍ଗା
କଂଗ୍ରେସରୁ ନେତା ପୋଚିଂ ବିଜେଡିକୁ ପଡିବ ମହଙ୍ଗା
ଭୁବନେଶ୍ୱର : ଫାଇନାଲ ରୂପକ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପଂଚାୟତ ଓ ପୌର ନିର୍ବାଚନ ସେମିଫାଇନାଲ ଲଢ଼ିବାକୁ ଯାଉଛନ୍ତି । ୨୦୨୨ରେ ବାଜିମାତ କରି ସବୁଦଳ ୨୦୨୪ ପାଇଁ ପ୍ରସ୍ତୁତି କରିବାକୁ ଯୋଜନା କରିଛନ୍ତି । ତେବେ ନିର୍ବାଚନୀ ରଣନୀତିରେ ସବୁବେଳେ ଆଗୁଆ ଥିବା ବିଜୁ ଜନତା ଦଳ ଏବେ ବିରୋଧୀଙ୍କୁ ଚକମା ଦେବାରେ ଲାଗିଛି । ବିଶେଷକରି କଂଗ୍ରେସର ଟାଣୁଆ ନେତାଙ୍କୁ ନିଜ ଆଡ଼କୁ ନେଇ ସ୍ଥିତି ମଜବୁତ କରିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି । କେତେକ କଂଗ୍ରେସ ନେତା ବିଜେଡ଼ିରେ ସାମିଲ ହୋଇଥିବାବେଳେ ଆଗକୁ ହେଭିୱେଟ ନେତା ବି ବିଜେଡ଼ିରେ ସାମିଲ ହେବେବୋଲି କୁହାଯାଉଛି । ଗୋଟିଏ ପଟେ ଏଭଳି କରିବା ଦ୍ୱାରା ବିଜେଡ଼ିର ଶକ୍ତିବୃଦ୍ଧି ହେଉଛି ବୋଲି କେତେକ ରାଜନୀତିକ ସମୀକ୍ଷକ ମତପୋଷଣ କରିଥିବାବେଳେ ଅନ୍ୟପଟେ ଏହା ବିଜେଡ଼ି ପାଇଁ ମହଙ୍ଗା ପଡ଼ିବ ବୋଲି ଅନ୍ୟ କେତେକ ରାଜନୀତିକ ସମୀକ୍ଷକ ମତପୋଷଣ କରୁଥିବା ଲକ୍ଷ୍ୟ କରାଯାଉଛି ।
କଂଗ୍ରେସରୁ ନେତା ପୋଚିଂ ବିଜେଡ଼ି ପାଇଁ ମହଙ୍ଗା ପଡ଼ିବାର ଅନେକ କାରଣ ରହିଛି । ଶାସକ ବିଜୁ ଜନତା ଦଳରେ ଏବେ ବହୁ ଆଗଧାଡ଼ିର ନେତା ରହିଛନ୍ତି । ଏତେ ନେତାଯେ, ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଟିକେଟ ବିତରଣ ବେଳେ ଆଶାୟୀମାନଙ୍କୁ ବୁଝାଇବା ପାଇଁ ଦଳ ନାକେଦମ ହୋଇପଡ଼ୁଛି । ଏଭଳି ସ୍ଥିତିରେ ଅନ୍ୟ ଦଳରୁ ନେତାଙ୍କୁ ଆଣିଲେ ଦଳ ସେମାନଙ୍କୁ କେଉଁ ସ୍ଥାନ ଦେବ । ଯଦି ପୁରୁଖା ବିଜେଡ଼ି ନେତାଙ୍କୁ ଅଣଦେଖା କରି କଂଗ୍ରେସରୁ ଆସିଥିବା ନେତାଙ୍କୁ ଗୁରୁତ୍ୱ ଦିଆଯାଏ ତେବେ ପୁରୁଖା ନେତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ । ଯଦି କଂଗ୍ରେସ ନେତାଙ୍କୁ ଗୁରୁତ୍ୱ ଦିଆନଯାଏ ତେବେ ବିଜେଡ଼ିକୁ ଗଲେ କିଛି ଫାଇଦା ନାହିଁ ବୋଲି ଅନେକ ନେତା ମନେକରିବେ । ଏଭଳି ଏକ ଦୋଛକିରେ ବିଜେଡ଼ି ରହିବା ସ୍ୱାଭାବିକ ।
କଂଗ୍ରେସରୁ ନେତା ପୋଚିଂ ବିଜେଡ଼ିକୁ କିଭଳି ମହଙ୍ଗା ପଡ଼ିବ ତାହାର ଏକ ଉଦାହରଣ ନିଆଯାଇପାରେ । ନିକଟରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ତାଙ୍କ ଭାଇ ବାସୁଦେବ ମାଝୀ ୮ ଥର ସେହି ଆସନରୁ ବିଜୟୀ ହୋଇଥିଲେ । ସେ ବି ଥରେ ଜିତିଥିଲେ । କିନ୍ତୁ ଗତଥର ତାଙ୍କୁ ବିଜେଡ଼ି ନେତ୍ରୀ ପଦ୍ମିନୀ ଦିଆନ ପରାସ୍ତ କରିଥିଲେ । ଅର୍ଥାତ ବିଜେଡ଼ିର ସ୍ଥିତି ମଜବୁତ ଥିବାବେଳେ ସେହି ନେତାଙ୍କୁ ଦଳ ଆଣିଲେ କି ଲାଭ ପାଇବ ? ବରଂ ଏହାଦ୍ୱାରା ତୃଣମୂଳସ୍ତରର ବିଜେଡ଼ି ନେତାମାନେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ଫଳରେ ବିଜେଡ଼ି ଘାଟାରେ ପଡ଼ିବାର ଅଧିକ ଆଶଙ୍କା ରହିଛି ।
ରାଜ୍ୟର ୯୦% ଅଂଚଳରେ ବିଜେଡ଼ିର ଶକ୍ତି ଅଧିକ ଥିବାବେଳେ ଅନ୍ୟ ଦଳରୁ ନେତା ଆଣିବା ଅପେକ୍ଷା ନିଜ ସଂଗଠନ ସଜାଡ଼ିବାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କଂଗ୍ରେସ ନେତାଙ୍କୁ ପୋଚିଂ କରିବାରୁ ଦଳର ସଂଗଠନ ପ୍ରଭାବିତ ହୋଇଥିଲା । ଦଳର ପୁରୁଖା କର୍ମୀମାନେ ଦଳ ଉପରେ ଫିଡ଼ିକି ଯାଇଥିଲେ । ଫଳରେ ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ବିଜେପି ସେଭଳି ପରାକାଷ୍ଠା ଦେଖାଇପାରିନଥିଲା । ଯାହାର ପ୍ରଭାବ ଏବେବି ଦଳରେ ଅନୁଭୂତ ହେଉଛି । ନୂଆ ପୁରୁଣା ବିବାଦ ବିଜେପିରେ ଲାଗି ରହିଛି । ବିଜେଡ଼ି ମଧ୍ୟ ଏଥିରୁ ଶିକ୍ଷା ଲାଭ କରିବା ଦରକାର ବୋଲି କେତେକ ବିଜେଡ଼ି ନେତା ନାମ ଗୋପନ ସର୍ତରେ ମତପ୍ରକାଶ କରିଛନ୍ତି ।




admin 