କାଗ ରିପୋର୍ଟରେ ବିସ୍ଫୋରକ ତଥ୍ୟ

କାଗ ରିପୋର୍ଟରେ ବିସ୍ଫୋରକ ତଥ୍ୟ

କାଗ ରିପୋର୍ଟରେ ବିସ୍ଫୋରକ ତଥ୍ୟ
ଭୁବନେଶ୍ୱର : ଠାକୁରଙ୍କ ଜମି ହଡ଼ପ କରାଯାଇଛି  । ଲକ୍ଷ ଲକ୍ଷ ଟଙ୍କାବି ଆତ୍ମସାତ କରାଯାଇଛି  । ଖାଲି ସେତିକିନୁହେଁ ଠାକୁରଙ୍କ ଅଳଙ୍କାର ବି ଗାଏବ ହୋଇଯାଇଛି  । କାଗ ରିପୋର୍ଟରେ ଏଭଳି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି  । ଏତଦବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ରର ୧.୧୪ କୋଟି ଚାଉଳ ବି ଆତ୍ମସାତ କରାଯାଇଥିବା କାଗଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଛି  ।

ଆଜି ବିଧାନସଭାରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (କାଗ)ଙ୍କ ମାର୍ଚ୍ଚ ୨୦୨୦ରେ ସମାପ୍ତ ବର୍ଷ ପାଇଁ ସାଧାରଣ ଓ ସାମାଜିକ କ୍ଷେତ୍ରର ଅଡ଼ିଟ ରିପୋର୍ଟ ଉପସ୍ଥାପିତ ହୋଇଛି  । ଅଡ଼ିଟ ରିପୋର୍ଟ ଅନୁଯାୟୀ, ୧୩ଟି ଧାର୍ମିକ ଅନୁଷ୍ଠାନର ୧୨୭୬୭.୬୭୯ ଏକର ଜମି ଥିବାବେଳେ ଏହାର ୩୨.୮୫% ଅର୍ଥାତ ୪୫୦୩.୮୭୧ ଏକର ଜବରଦଖଲରେ ରହିଥିଲା  । ଟ୍ରଷ୍ଟବୋଡର଼୍ ଏନେଇ ଇସିଙ୍କୁ ରିପୋର୍ଟ କରିବାରେ ବିଫଳ ହୋଇଥିବାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇପାରିନଥିଲା  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ରାଜଧାନୀ ପୂଜା ସମିତିରେ ୧୫.୯୨ ଲକ୍ଷ ଟଙ୍କା ଓ ମା’ ମଙ୍ଗଳା ମନ୍ଦିରରେ ୫୮.୬୧ ଲକ୍ଷ ଟଙ୍କା ସନେ୍ଦହଜନକ ଭାବେ ଆତ୍ମସାତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା  । ଖାଲି ଜମି କି ଟଙ୍କା ନୁହେଁ ଠାକୁରଙ୍କର ଅଳଙ୍କାର ବି ଗାଏବ ହୋଇଯାଇଥିବା ନେଇ ରିପୋର୍ଟରେ ଉଲ୍ଳେଖ କରାଯାଇଛି  । 

ଅଡ଼ିଟ ହୋଇଥିବା ୯ଟି ଧାର୍ମିକ ଅନୁଷ୍ଠାନରେ ୨୪.୫ କେଜି ସୁନା ମଧ୍ୟରୁ ୯.୩ କେଜି ଓ ୨୮୪.୫୫ କେଜି ରୂପା ମଧ୍ୟରୁ ୧୩୯.୫୮ କେଜି ରୂପା ଅନଧିକୃତ ଭାବେ ସେବକ ଓ ପଦଧାରୀଙ୍କ ହେପାଜତରେ ଥିବା ଜଣାପଡ଼ିଛି  । ଏପରିକି ୫ଟି ଧାର୍ମିକ ଅନୁଷ୍ଠାନରେ ୬୦ ଲକ୍ଷ ଟଙ୍କା ମୂଲ୍ୟର ୮୨୩ ଗ୍ରାମ ସୁନା ଓ ୫୩୫୯୬ ଗ୍ରାମ ରୂପାର ସ୍ୱଳ୍ପତା ଲକ୍ଷ୍ୟ କରାଯାଇଛି  । ସେହିପରି ଠାକୁରଙ୍କର ଥିବା ବ୍ୟବସାୟିକ ସ୍ଥାନକୁ ଠିକ ଭାବେ ଭଡ଼ା ସୂତ୍ରରେ ଦିଆଯାଇନଥିବାରୁ ୪.୨୮ କୋଟି ଟଙ୍କାର ରାଜସ୍ୱ ହାନି ଘଟିଛି ।