କିଏ ହେବ ବିଏମସି ଡେପୁଟି ମେୟର
କିଏ ହେବ ବିଏମସି ଡେପୁଟି ମେୟର
ଭୁବନେଶ୍ୱର: କର୍ପୋରେଟର, ମେୟର ନିର୍ବାଚିତ ହୋଇଗଲେ । ଏବେ ନଜର କିଏ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର । ଏଥର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଡେପୁଟି ମେୟର ଆସନ ପୁରୁଷ କର୍ପୋରେଟରଙ୍କୁ ମିଳିବ ବୋଲି ଅନୁମାନ କରାଯାଉଛି । ଡେପୁଟି ମେୟର ପାଇଁ ଏବେଠାରୁ ଛକାପଞ୍ଝା ଆରମ୍ଭ ହୋଇଗଲାଣି ବିଜେଡିରେ । ଦୌଡ଼ରେ ଏକାଧିକ କର୍ପୋରେଟର ରହିଛନ୍ତି । ପ୍ରମୁଖ ଦାବିଦାର ଭାବେ ଚର୍ଚ୍ଚାରେ ଅଛନ୍ତି ହେଭିୱେଟ କର୍ପୋରେଟର ଅମରେଶ ଜେନା (ବାଇଁଆ), ବିରଞ୍ଚିନାରାୟଣ ମହାସୁପକାର (ଲିଟୁ) । ଉଭୟଙ୍କ ଭିତରେ ଛକାପଞ୍ଝା ଏବେ ଜୋରରେ । ଦୁଇଜଣ ନିଜ ନିଜ ଉଦ୍ୟମରେ ଲବି ଆରମ୍ଭ କରିଦେଇଛନ୍ତି ବିଜେଡି ନେତୃତ୍ୱଙ୍କ ନିକଟରେ । ଏହାବାଦ୍ ବି କିଛି ଆଶାୟୀ ଥିବା ଶୁଣାଯାଉଛି ।
୨୦୧୪ରେ ବିଜେଡି ୪୯ଟି ୱାର୍ଡ ଜିତିଥିଲା ବିଏମ୍ସିରେ । ଏଥର ୪୮ଟି ଜିତିଛି । ବିଜେପି ୧୦ଟି ଆସନ ପାଇଥିବାବେଳେ ସ୍ୱାଧୀନ ୯ଟି ଜିତିଛନ୍ତି । ଏଥର ମେୟର ଭୋଟ ସିଧାସଳଖ ହୋଇଥିବାବେଳେ ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି । ଏତେ ବଡ଼ ବିଜୟ ସତ୍ତ୍ୱେ ଦଳ ପାଇଁ ଚିନ୍ତାର ବିଷୟ ହେଲା, ବିଜେପି ଭୋଟ ପୂର୍ବାପେକ୍ଷା ଢେର ବଢ଼ିଛି । ବିଜେପିର ଭୋଟ ହାର ୨୦୧୪ ବିଏମସି ନିର୍ବାଚନରେରେ ପାଖାପାଖି ୧୫% ଥିବାବେଳେ ଏଥର ୨୯% ଛୁଇଁଛି । ବିଜେଡି ଭୋଟ ୨୦୧୪ ବିଏମସି ନିର୍ବାଚନରେ ୪୯% ଥିଲା, ଏଥର ବି ପ୍ରାୟ ସମାନ । ବିଜେଡିର ଭୋଟ ହାର ନ କମିଲେ ବି ବିଜେପି ବଢ଼ୁଥିବାରୁ ବିଜେଡି ପୂର୍ବାପେକ୍ଷା ଅଧିକ ସତର୍କ ହୋଇଛି । ଦଳ ଏବେ ମାପିଚୁପି ବାଟ ଚାଲିବାକୁ ନିଷ୍ପତ୍ତି ନେଇଛି । କର୍ପୋରେଟର ଟିକେଟ ବଂଟନରେ ଅସନ୍ତୋଷ ଯୋଗୁ ବିଜେଡି ହାତରୁ କେତେକ ୱାର୍ଡ ଖସିଗଲା । ଏହାର ଫାଇଦା କିଛି ୱାର୍ଡରେ ବିଜେପି ନେଲା । ଆଉ କିଛି ୱାର୍ଡରେ ଟିକେଟ ନ ପାଇ ସ୍ୱାଧୀନ ଲଢ଼ୁଥିବା ବିଦ୍ରୋହୀ ଜିତିଗଲେ । ତେଣୁ ଡେପୁଟି ଆସନ ମେୟର ଆସନ ପାଇଁ ଦଳ ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜୁଛି।
ଡେପୁଟି ମେୟର ପାଇଁ ନିର୍ବାଚନ ହେବା ସମ୍ଭାବନା କମ୍ । ବିଜେଡି ପ୍ରାର୍ଥୀ ବିନା ପ୍ରତିନ୍ଦ୍ୱନ୍ଦ୍ୱିତାରେ ଡେପୁଟି ମେୟର ଆସନ ଦଖଲ କରିବା ପକ୍କା । ଦଳୀୟ ନେତାଙ୍କ କହିବା କଥା ହେଲା, ଯୋଗ୍ୟ ନେତାଙ୍କୁ ଅଣଦେଖା କରିବାକୁ ଏଥର ବିଜେପି ବଢ଼ିଥିବାବେଳେ ସ୍ୱାଧୀନ ବି ୯ଟି ଆସନ ଜିତିନେଲେ । ବିଜେଡିର ଟିକେଟ ବଣ୍ଟନ ଅସନ୍ତୋଷ ଓ କନ୍ଦଳ ଯୋଗୁ ୱାର୍ଡ ନଂ ୩,୪, ୭, ୯, ୧୫, ୨୪, ୨୯, ୩୯, ୩୭, ୬୦, ୬୫ ନଂ ୱାର୍ଡରେ ବିଜେଡି ହାରିଲା । ଏକଥାକୁ ଦଳ ଗୁରୁତର ସହ ନେଇଛି । ତେଣୁ ଡେପୁଟି ମେୟର ଆସନ ପାଇଁ ନୂଆମୁହଁ ବଦଳରେ ନିଷ୍ଠାପର ଆନୁଗତ୍ୟକୁ ଦଳ ସର୍ବାଧିକ ଗୁରୁତ୍ୱ ଦେବା ସମ୍ଭାବନା ଅଛି । ଦଳ ଭିତରେ ମାଳମାଳ ଆଶାୟୀଙ୍କ ନଜର ରହିଛି ଏହି ପାୱାରଫୁଲ ଆସନ ଉପରେ ।
ଡେପୁଟି ମେୟର ପାଇଁ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି ୪୫ ନଂ ୱାର୍ଡର କର୍ପୋରେଟର ଅମରେଶ ଜେନା ଓ ୫୯ ନଂ ୱାର୍ଡର ବିରଞ୍ଚି ମହାସୁପକାର । ଉଭୟ ଅମରେଶ ଓ ବିରଞ୍ଚି ଲଗାତାର ତୃତୀୟ ଥର ପାଇଁ କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି । ଅମରେଶ ୩ଥର ଯାକ ବିଜେଡିରୁ ଜିତିଥିବାବେଳେ ବିରଞ୍ଚି ୨୦୧୪ରେ ବିଜେଡିରୁ ବିଦ୍ରୋହୀ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ । ଏଥର ସେ ବିଜେଡି ଟିକେଟରେ ଜିତିଛନ୍ତି । ଅମରେଶ ପୂର୍ବରୁ ଭୁବନେଶ୍ୱର ଜିଲ୍ଲା ସଭାପତି ଥିବାବେଳେ ଏବେ ରାଜ୍ୟ ବିଜେଡି ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ଅପରପକ୍ଷରେ ବିରଞ୍ଚି ଏବେ ଭୁବନେଶ୍ୱର ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଛନ୍ତି । ଉଭୟଙ୍କ ପଛରେ ଜଣେ ଜଣେ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ହେଲେ କୌଣସି ବଡ଼ ନେତା କାହାକୁ ନିର୍ଭର ପ୍ରତିଶ୍ରୁତି ବା ଭରସା ଦେଉନାହାନ୍ତି । ସବୁ ବଡ଼ ନେତା ନବୀନ ନିବାସ ଆଡ଼କୁ ଇଙ୍ଗିତ ଦେଖାଇ ନିଜକୁ ଚାପମୁକ୍ତ ରଖିବାକୁ ପ୍ରୟାସ କରୁଛନ୍ତି । ସ୍ୱଳ୍ପ ମତଦାନ ସତ୍ତ୍ୱେ ସବୁ ଥର ଭଳି ଏଥର ବି ଅମରେଶ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିବାରୁ ତାଙ୍କ ସମର୍ଥକଙ୍କ ମନୋବଳ ବଢ଼ିଛି । ବିରଞ୍ଚିଙ୍କ ଶିବିର ବି ଲାଗି ପଡ଼ିଛି ଡେପୁଟି ମେୟର ଆସନ ପାଇଁ ।
ଏହାବାଦ କିଛି ପୁରୁଣା କର୍ପୋରେଟର ଯେଉଁମାନେ ଏଥର ପୁଣି ଜିତିଛନ୍ତି, ସେମାନଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି । ଡେପୁଟି ମେୟର ରେସରେ ଏବେ କର୍ପୋରେଟର ନୃପେଶ ନାଏକ, ଶ୍ରୀଧର ଜେନାଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି । ସବୁ ଥର ଭଳି ଏଥର ବି ମେୟର ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ହୋଇଛନ୍ତି । ତେଣୁ ଡେପୁଟି ମେୟର ଏକାମ୍ର କିମ୍ବା ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ କେହି ହୋଇପାରନ୍ତି । ଏମିତି ହେଲେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଛାମୁଆ ସଂଗଠନର ମତ ବି ନିଆଯିବ । କର୍ପୋରେଟରଙ୍କ ମତାମତ ବି ନିଆଯାଇପାରେ ।
୭ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ଡେପୁଟି ଆସନରେ ବିଜେଡିର କେଉଁ କର୍ପୋରେଟର ବସିବ, ତାହା ଉପରେ ସଭିଙ୍କ ନଜର ଅଟକିଛି । ଅମରେଶ ନା ବିରଞ୍ଚି ନା ଆଉ କାହାକୁ ବିଜେଡି ଏ ଆସନରେ ବସାଇବ, ତାହା ସମୟ କହିବ ।




admin 