ଚର୍ଚ୍ଚାରେ ମାନସ ଚୌଧୁରୀଙ୍କ ଅଭିନବ ପ୍ରତିବାଦ
ଚର୍ଚ୍ଚାରେ ମାନସ ଚୌଧୁରୀଙ୍କ ଅଭିନବ ପ୍ରତିବାଦ
admin
Dec 2, 2019 - 10:26
Updated: Dec 2, 2019 - 10:26
ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ନେବା ପରେ ଅଭିନବ ପ୍ରତିବାଦ ଜରିଆରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ମାନସ ଚୌଧୁରୀ । କେତେବେଳେ ଭୁବନେଶ୍ୱରର ଆବର୍ଜନାମୟ ଅଂଚଳକୁ ଦେଖି ସେ ମେୟରଙ୍କୁ ସ୍ୱଚ୍ଛ ପୁରସ୍କାର ମାନପତ୍ର ଦେଇଛନ୍ତି ତ ଆଉ କେବେ ଇସ୍କନ ମନ୍ଦିରର ଜଳବନ୍ଦୀକୁ ପ୍ରତିବାଦ କରି ଏନଏଚଏଆଇ ଅଫିସରେ ପାଣି ଢାଳିଛନ୍ତି । ଭାରତ ବନ୍ଦ ବେଳେ ଅହିଂସାର ବାର୍ତା ଦେଇ ସେ ଗୋଲାପ ଫୁଲ ଦେଇଥିବାବେଳେ ଏବେ ପିଆଜ ଦରବୃଦ୍ଧି ପ୍ରତିବାଦରେ ଟ୍ରଲି ଧରି ପିଆଜ ବି ବିକ୍ରି କରିଛନ୍ତି । ମାନସଙ୍କ ଏହି ଅନ୍ଦାଜ ଖାଲି ସୋସିଆଲ ମିଡ଼ିଆରେ ନୁହେଁ ଗଣମାଧ୍ୟମରେ ବି ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ଭୁବନେଶ୍ୱରର ପୁତିଗନ୍ଧମୟ ପରିବେଶକୁ ଦେଖିବା ପରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମେୟରଙ୍କ ଉଦେ୍ଧଶ୍ୟରେ ଏକ ମାନପତ୍ର ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲା । ୨୦୧୮ ଜୁଲାଇ ୩ରେ ଶ୍ରୀ ଚୌଧୁରୀଙ୍କ ନେତୃତ୍ୱରେ ଯେଉଁ ଅଭିନବ ପ୍ରତିବାଦ କରାଯାଇଥିଲା ତାହା ସବୁଠାରୁ ବେଶୀ ଚର୍ଚ୍ଚା ସୃଷ୍ଟି କରିଥିଲା । ଏନଏଚଏଆଇର ଖାମଖିଆଲ ନୀତି ପାଇଁ ଇସ୍କନ ମନ୍ଦିର ଅଂଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଥିଲା । କିଛି ଘଂଟାର ବର୍ଷାରେ କାର ବି ଭାସି ଯାଉଥିଲା । ଏହାର ପ୍ରତିବାଦ କରି ଶ୍ରୀ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏନଏଚଏଆଇ ଅଫିସ ଭିତରକୁ ପାଣି ଟ୍ୟାଙ୍କର ଧରି ପ୍ରବେଶ କରିଥିଲେ । ଅଫିସ ଭିତରେ ପାଣିମାଡ଼ କରି ଦଳ ଚେତାଇ ଦେଇଥିଲା । ଜଳବନ୍ଦୀ ଫଳରେ କିଭଳି ଅସୁବିଧା ଭୋଗିବାକୁ ପଡେ଼ ତାହା ଏନଏଚଏଆଇକୁ ଦେଖାଇବା ପାଇଁ ଏଭଳି ଉଦ୍ୟମ କରାଯାଇଥିଲା । ଶ୍ରୀ ଚୌଧୁରୀଙ୍କ ଏଭଳି ପ୍ରତିବାଦ ପାଇଁ ତୁରନ୍ତ ରାଜ୍ୟ ସରକାର ଓ ଏନଏଚଏଆଇ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା । ଯାହାର ଫଳସ୍ୱରୂପ ଏବେ ଇସ୍କନ ଅଂଚଳରେ ଆଉ ପୂର୍ବଭଳି ଜଳବନ୍ଦୀ ସମସ୍ୟା ରହିନାହିଁ ।
୨୦୧୮ ସେପ୍ଟେମ୍ବର ୧୦ରେ ବି ବେଶ ଚର୍ଚ୍ଚାରେ ରହିଥିଲେ ମାନସ ଚୌଧୁରୀ । ତୈଳଦର ବୃଦ୍ଧି ନେଇ ଭାରତ ବନ୍ଦ ଡାକରା ଦେଇଥିଲା କଂଗ୍ରେସ । ପୂର୍ବରୁ କଂଗ୍ରେସର ବନ୍ଦପାଳନ ବେଳେ ହିଂସା ହେଉଥିବାରୁ ଲୋକମାନେ କ୍ଷୁବ୍ଧ ହେଉଥିଲେ । କିନ୍ତୁ ମାନସଙ୍କ ଉଦ୍ୟମ କ୍ରମେ ଭାରତ ବନ୍ଦ ବେଳେ ଗୋଲାପ ଫୁଲ ଦେଇ ଲୋକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଫଳରେ ରାଜଧାନୀରେ କୌଣସି ପ୍ରକାର ହିଂସା ଘଟଣା ଦେଖିବାକୁ ମିଳିନଥିଲା ।
ଚଳିତ ଡିସେମ୍ବର ୨ରେ ପିଆଜ ଦର ବୃଦ୍ଧିକୁ ନେଇ ଶ୍ରୀ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିବାଦ ବି ବେଶ ଚର୍ଚ୍ଚା ସୃଷ୍ଟିକରିଛି । ପିଆଜ କିଲୋ ଚାଳିଶ ଟଙ୍କାରେ ଟ୍ରଲିରେ ବିକିଥିଲେ କଂଗ୍ରେସ କର୍ମୀ । ବହୁ ବରିଷ୍ଠ ନେତା ଏଥିରେ ସାମିଲ ହୋଇ ପିଆଜ ଦର ବୃଦ୍ଧିର ଅଭିନବ ପ୍ରତିବାଦ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସକୁ ବେଶ ଚଳଚଂଚଳ କରି ରଖିôଥିବା ଶ୍ରୀ ଚୌଧୁରୀଙ୍କୁ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ମଧ୍ୟ ଅନେକ ଗୁରୁତ୍ୱ ଦାୟିତ୍ୱ ଦେଇଥିଲେ ।