ଦିଲ୍ଲୀରେ ଛତିଗଡ଼ର ୩୦ ବିଧାୟକ, ପଞ୍ଜାବ ପରି ସ୍ଥିତି ଆଶଙ୍କା

ଦିଲ୍ଲୀରେ ଛତିଗଡ଼ର ୩୦ ବିଧାୟକ, ପଞ୍ଜାବ ପରି ସ୍ଥିତି ଆଶଙ୍କା

ଦିଲ୍ଲୀରେ ଛତିଗଡ଼ର ୩୦ ବିଧାୟକ, ପଞ୍ଜାବ ପରି ସ୍ଥିତି ଆଶଙ୍କା

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ନିଜର ଶକ୍ତି ଦେଖାଉଛନ୍ତି। ପଞ୍ଜାବ ଭଳି ସ୍ଥିତି ଏବେ ଛତିଶଗଡ଼ରେ ବି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବାଘେଲଙ୍କ ସହ ଘନିଷ୍ଠ ବିଧାୟକମାନେ ୪ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି। ସନ୍ଧ୍ୟା ସୁଦ୍ଧା ବାଘେଲଙ୍କ ସମର୍ଥନରେ ୩୦ ବିଧାୟକ ଦିଲ୍ଲୀ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ସରକାରରେ ସ୍ଥିରତା ବଜାୟ ରଖିବା ତାଙ୍କର କର୍ତ୍ତବ୍ୟ ଏବଂ ଏହି ଆହ୍ୱାନରେ ବିଧାୟକମାନେ ଦିଲ୍ଲୀ ଯାଇଛନ୍ତି । ବିଧାୟକମାନେ ନିଜ ଇଚ୍ଛାରେ ଦିଲ୍ଲୀ ଯାଉଛନ୍ତି ଏବଂ ସେଠାରେ କୌଣସି ଶକ୍ତି ପ୍ରଦର୍ଶନ ଚାଲିନାହିଁ ବୋଲି ସେ କହିଛନ୍ତି । ଛତିଶଗଡ଼ରେ ନେତୃତ୍ୱ ପରିବର୍ତ୍ତନ କଥାକୁ ସେ ଖଣ୍ଡନ କରିଛନ୍ତି । ଇତି ମଧ୍ୟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହ କହିଛନ୍ତି, ଛତିଶଗଡ଼ରେ ପଞ୍ଜାବ ଭଳି ସ୍ଥିତି ହେବାକୁ ଯାଉଛି । ରମଣ ସିଂହଙ୍କ କଥାର କଡ଼ା ଜବାବ ଦେଇ ବାଘେଲ କହିଛନ୍ତି ଛତିଶଗଡ଼ରେ କେବେ ବି କଂଗ୍ରେସ ଭଳି ସ୍ଥିତି ହେବ ନାହିଁ ଏବଂ ସରକାରକୁ ନେଇ କିଛି ସମସ୍ୟା ନାହିଁ । ଉଲ୍ଲେଖଯୋଗ୍ୟ ୨୦୧୮ ବିଧାନସଭା ନିର୍ବାଚନ ପରେ ଏକ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଆଧାରରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ କ୍ୟାବିନେଟ ମନ୍ତ୍ରୀ ଟିଏସ ସିଂହଦେଓ ଅଢେ଼ଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ରହିବେ । ଇତି ମଧ୍ୟରେ ବାଘେଲ ମୁଖ୍ୟମନ୍ତ୍ରୀ ଭାବେ ଅଢେ଼ଇ ବର୍ଷ ରହି ସାରିଛନ୍ତି । ଏବେ ଟିଏସ ସିଂହଦେଓ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି ହେଉଛି । କିନ୍ତୁ ଦିଲ୍ଲୀରେ ଡେରା ପକାଇଥିବା ବାଘେଲଙ୍କର ଜଣେ ଘନିଷ୍ଠ ସହଯୋଗୀ ବୃହସ୍ପତ ସିଂହ କହିଛନ୍ତି, ନେତୃତ୍ୱ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ । ଆମେ ଏଠାରେ ଛତିଶଗଡ଼ର ଏଆଇସିସି ପ୍ରଭାରୀ ପିଏଲ ପୁନିଆଙ୍କୁ ଅପେକ୍ଷା କରିଛୁ । ତେବେ ବହୁ ସଂଖ୍ୟାରେ ବିଧାୟକମାନଙ୍କ ଦିଲ୍ଲୀ ଗସ୍ତ ନେଇ ପ୍ରଶ୍ନ କରାଯିବାରୁ ବାଘେଲ ସାମ୍ବାଦିକମାନଙ୍କୁ କହିଛନ୍ତି ପ୍ରତିଟି ପଦକ୍ଷେପକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ । ବିଧାୟକମାନେ ନିଜ ଇଚ୍ଛାରେ ଦିଲ୍ଲୀ ଯାଇଥିବା ସେ କହିଛନ୍ତି ।