ଧର୍ମେନ୍ଦ୍ରଙ୍କ ସ୍ଥାନ ନେଇଗଲେ ଅପରାଜିତା
ଧର୍ମେନ୍ଦ୍ରଙ୍କ ସ୍ଥାନ ନେଇଗଲେ ଅପରାଜିତା
ଭୁବନେଶ୍ୱର : ଏକଦା ବିଜୁ ଜନତା ଦଳର ନେତାମାନଙ୍କ ଟାର୍ଗେଟରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର କାୟା ବିସ୍ତାର ସହ ଧର୍ମେନ୍ଦ୍ରଙ୍କ ଦବଦବା ବଢ଼ି ଚାଲିଥିବାରୁ ବିଜେଡ଼ି ନେତାମାନେ ନିଶାନା ସାଧୁଥିଲେ । କିନ୍ତୁ ଏବେ ବିଜେଡ଼ି ଆଉ ଆଗଭଳି ଧର୍ମେନ୍ଦ୍ରଙ୍କୁ ନିଶାନା କରୁନାହିଁ । ବରଂ ଧର୍ମେନ୍ଦ୍ରଙ୍କ ବଦଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଫଳରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଅପରାଜିତା ନେଇଯାଇଛନ୍ତି ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ଏହି ପରିପ୍ରେକ୍ଷୀରେ କେତେକ ଉଦାହରଣର ଅବତାରଣା କରାଯାଇପାରେ । ଐତିହ୍ୟ ବିଲକୁ ନେଇ ଅପରାଜିତା ମୁହଁ ଖୋଲିନଥିବାବେଳେ ତାଙ୍କର ଦେଖାଦର୍ଶନ ମିଳିନଥିଲା । ତେଣୁ ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା । ଏଥିରେ ବିଜେଡିର ହାତ ଥିବା କୁହାଯାଉଥିଲା କିନ୍ତୁ ପରେ ଏହି ଘଟଣାରେ ଏକ ଗଣ୍ଡଗୋଳ ହେବାରୁ ଅପରାଜିତାଙ୍କ ପିଏଙ୍କୁ ଗିରଫ କରାଯାଇଥିଲା ।
କୋଭିଡ଼ ସମୟରେ ବିଜୁ ଜନତା ଦଳ ନେତାମାନେ ଘରେ ବସିଥିବାବେଳେ ରାସ୍ତାକୁ ବାହାରିଥିଲେ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଜନ୍ମଦିନ ଅବସରରେ ଏକ ନାଚଗୀତ ଘଟଣାକୁ ନେଇ ବିଏମସି ପକ୍ଷରୁ ତାଙ୍କର କାର୍ଯ୍ୟାଳୟ ସିଲ କରାଯାଇଥିଲା । ଏହାର ପ୍ରତିବାଦରେ ଅପରାଜିତା ନିଜର ସମର୍ଥକମାନଙ୍କୁ ନେଇ ରାଜରାସ୍ତା ଉପରେ ଜନଶୁଣାଣୀ ଆରମ୍ଭ କରିଦେଇଥିଲେ । ଫଳରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା । ପରେ ଅବଶ୍ୟ ବିଏମସି ପକ୍ଷରୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ତାଙ୍କ କାର୍ଯ୍ୟାଳୟ ଖୋଲିଥିଲା ।
ସଦ୍ୟତମ ନଜିରଟି ଜଳବନ୍ଦୀକୁ ନେଇ ଦେଖିବାକୁ ମିଳିଛି । ଅପରାଜିତା ଜଳବନ୍ଦୀକୁ ନେଇ ବିଜେଡ଼ି ସରକାରଙ୍କୁ ସମାଲୋଚନା କରିଥିବାବେଳେ ଏହାର ଜବାବ ଦେବାକୁ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ଜେନା ଓ ମେୟର ଆଶାୟୀ ଶ୍ରୀମୟୀ ମିଶ୍ର ବାହାରି ପଡ଼ିଥିଲେ । ସେମାନେ ଏହି ଜଳବନ୍ଦୀ ସମସ୍ୟା ପାଇଁ ଅପରାଜିତାଙ୍କୁ ଦାୟୀ କରିଥିଲେ । ଗୋଟିଏ ପଟେ ସାଧାରଣ ନିର୍ବାଚନ ପରେପରେ ଧର୍ମେନ୍ଦ୍ର ଆଉ ବିଜେଡ଼ି ସରକାରଙ୍କୁ ସମାଲୋଚନା କରୁନଥିବାରୁ ଉଭୟଙ୍କ ମଧ୍ୟରେ ଫିକ୍ସିଂ ହୋଇଥିବା କୁହାଯାଉଛି । ତେଣୁ ଏହି ମଉକାରେ ଫାଇଦା ଉଠାଇ ଚାଲିଛନ୍ତି ଅପରାଜିତା । ଏବେ ଅପରାଜିତା ସାରା ରାଜ୍ୟରେ ୟୂଥ ଫର ଆକ୍ସନ ଓ ଅଜିଥା ମାଧ୍ୟମରେ ନିଜର ବ୍ୟକ୍ତିଗତ ସଂଗଠନ ବଢ଼ାଇବାରେ ଲାଗିପଡ଼ିଛନ୍ତି । ଫଳରେ ଏବେ ସେ ଧର୍ମେନ୍ଦ୍ରଙ୍କ ପରେ ପ୍ରଭାବଶାଳୀ ନେତ୍ରୀଭାବେ ଉଭା ହେବାରେ ଲାଗିଛନ୍ତି । ତେଣୁ ବିଜେଡ଼ି ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ବିଜେଡ଼ି ତାଙ୍କୁ ଯେତେ ବିରୋଧ କରିବ ଅପରାଜିତାଙ୍କ ପତିଆରା ସେତେ ବଢ଼ିବ ବୋଲି କୁହାଯାଇପାରିବ ।




admin 