ନେତାଜୀ କକ୍ଷରେ ଏବେ କେବଳ ଫଟୋ
ନେତାଜୀ କକ୍ଷରେ ଏବେ କେବଳ ଫଟୋ
admin
Jan 23, 2020 - 07:33
Updated: Jan 23, 2020 - 07:33
ରେଭେନ୍ସା କଲିଜିଏଟ୍ ସ୍କୁଲରେ ପଢ଼ିଲା ବେଳେ ନେତାଜୀ ହଷ୍ଟେଲର ରୁମ୍ ନଂ-୧୧ରେ ରହୁଥିଲେ । ସେଇଠି ତାଙ୍କ ଜୀବନର ମୋଡ଼ ବଦଳି ଥିଲା । ଏହା ନେତାଜୀ କକ୍ଷ ଭାବେ ଜଣାଶୁଣା । ପରବର୍ତ୍ତି ସମୟରେ ପ୍ରତି ବ୍ୟାଚର ମେଧାବୀ ଛାତ୍ରଙ୍କୁ ଏହି ରୁମରେ ରହିବାର ସୁଯୋଗ ଦିଆଯାଉଥିଲା । ଏବେ ହଷ୍ଟେଲ ଅଛି, କକ୍ଷ ରହିଛି । କିନ୍ତୁ କେହି ପିଲା ରହୁ ନାହାନ୍ତି । କେବଳ ନେତାଜୀଙ୍କ ଫଟୋଚିତ୍ର ସେଠି ଶୋଭା ପାଉଛି । ରାମକୃଷ୍ଣ କୁଟୀର, ରାହାସବିହାରୀ ମଠ, ମହାମାୟା ସ୍କୁଲ ସହ ଥିଲା ସମ୍ପର୍କ ରାମକୃଷ୍ଣ ସେବକ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ବଙ୍ଗାଳିସାହି ରାମକୃଷ୍ଣ କୁଟୀରରେ ସେ ସମୟରେ ଗରିବ ଛାତ୍ରମାନେ ରହି ପାଠ ପଢ଼ୁଥିଲେ । ରେଭେନ୍ସା କଲିଜିଏଟରେ ପଢ଼ିବା ବେଳେ ସୁଭାଷ ବୋଷ ନିଜ ପକେଟ୍ ମନିରୁ କିଛି କିଛି ସଂଗ୍ରହ କରି ରାମକୃଷ୍ଣ କୁଟୀରକୁ ଅର୍ଥ ସହାୟତା କରୁଥିଲେ । ଖାଲି ସେତିକି ନୁହେଁ, ଆଧ୍ୟାତ୍ମିକତା ପାଇଁ ପୁରୀଘାଟ ରାହାସବିହାରୀ ମଠ, ବାଉଁଶଗଳି ସଚିଦାନନ୍ଦ ମଠକୁ ନିୟମିତ ବ୍ୟବଧାନରେ ଯାଉଥିଲେ ସୁଭାଷ । ଓଡ଼ିଆ ବଜାରରେ ଆରମ୍ଭ କରିଥିଲେ ଦୁର୍ଗା ପୂଜା ୧୯୧୫ରେ ଆଇଏ ପାସ୍ କରି କୋଲକାତାର ପ୍ରେସିଡେନ୍ସି କଲେଜରେ ବି.ଏ ପଢ଼ୁଥିବା ବେଳେ ଆନେ୍ଦାଳନ କରି କଲେଜରୁ ବହିଷ୍କୃତ ହୋଇଥିଲେ ନେତାଜୀ । ସେହି ସମୟରେ କଟକ ଆସି ଜନସେବାରେ ମନ ଦେଇଥିଲେ । ସେହି ସମୟରେ ଓଡ଼ିଆ ବଜାରର କିଛି ଯୁବକଙ୍କୁ ଏଠାକି କରି ଜାନକୀନାଥ ଭବନରେ ଦୁର୍ଗା ପୂଜା ଆରମ୍ଭ କରିଥିଲେ । ୧୯୧୭ରେ ଉଚ୍ଚଶିକ୍ଷା ପାଇଁ ସେ ପୁଣି କୋଲକାତା ଯାଇଥିଲେ । ତାଙ୍କ ପରାମର୍ଶରେ ସାଙ୍ଗମାନେ ଦୁର୍ଗା ପୂଜା ପ୍ରତିବର୍ଷ ପରିଚାଳନା କରୁଥିଲେ । ପରେ ଏହି ପୂଜା ସାର୍ବଜନିକ ପୂଜା ଭାବେ ଏବେ ବି ପ୍ରତ୍ୟେକ ବର୍ଷ ଆୟୋଜନ ହେଉଛି ।
ଜପମାଳୀ, ଗୀତା, କାଳୀଙ୍କ ଫଟୋ ରଖୁଥିଲେ ପାଖରେ
ସୁଭାଷ କ୍ରୀଡ଼ା ପ୍ରିୟ ନଥିଲେ । ପ୍ରକୃତି ପ୍ରତି ତାଙ୍କର ଥିଲା ସ୍ୱତନ୍ତ୍ର ଆକର୍ଷଣ । ଅବସର ମିଳିଲେ, ବଗିଚା କାର୍ଯ୍ୟ କରିବା ଓ ମହାନଦୀ କୂଳରେ ବସି ପ୍ରକୃତିରୁ ଅଫୁରନ୍ତ ଆନନ୍ଦ ପାଉଥିଲେ ସେ । ଏପରିକି ମହାନଦୀର ଜଳ ଓ ଯୋବ୍ରାସ୍ଥିତ ମହାନଦୀ ରେଳପୋଲକୁ ସେ ଦୀର୍ଘ ସମୟ ବସି ଚାହିଁ ରହୁଥିଲେ । ଆଧ୍ୟାତ୍ମିକତା ପ୍ରତି ଦୁର୍ବଳତା ଥିଲା । ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ସଚ୍ଚିଦାନନ୍ଦ ମଠର ଗୁରୁ ଭକ୍ତିବେଦାନ୍ତ ସ୍ୱରସ୍ୱତୀ ଗୋସ୍ୱାମୀ ଠାକୁର, ରାହାସବିହାରୀ ମଠ ରାମଦାସ ବାବାଜୀଙ୍କ ଦ୍ୱାରା ସେ ଅନୁପ୍ରାଣିତ ହୋଇଥିଲେ । କେଉଁ ଆଡେ ଗଲେ ହାତରେ ଜପମାଳି, ଗୀତା, କାଳୀଙ୍କ ଫଟୋଚିତ୍ର ଆଦି ନେଉଥିଲେ ସୁଭାଷ ।
ଉକ୍ରଳମଣିଙ୍କ ସହ ଘନିଷ୍ଠତା ଥିଲା
ଉକ୍ରଳମଣି ଗୋପବନ୍ଧୁଙ୍କ ସହିତ ନେତାଜୀଙ୍କ ଘନିଷ୍ଠ ସମ୍ପର୍କ ଥିଲା । ବାହାରେ ଥିବା ବେଳେ ସେ କଟକ ବିଷୟରେ ଜାଣିବା ପାଇଁ ଗୋପବନ୍ଧୁଙ୍କୁ ଚିଠି ଲେଖୁଥିଲେ । ସେବା କରିବା ପାଇଁ ଉକ୍ରଳମଣିଙ୍କ ପରାମର୍ଶ ନେଉଥିଲେ ।