ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦେଖିବ NSG
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦେଖିବ NSG
admin
Mar 10, 2021 - 09:25
Updated: Mar 10, 2021 - 09:25
ପୁରୀ : ପୁରୀରେ ଆତଙ୍କବାଦୀଙ୍କ ଆତଙ୍କ ଆଶଙ୍କା ସର୍ବଦା ରହିଛି । ଦେଶର ୪ ଧାମ ମଧ୍ୟରୁ ଶ୍ରୀମନ୍ଦିର ଅନ୍ୟତମ । ଏଠାରେ ପ୍ରତିଦିନ ୫୦ ହଜାରୁ ଅଧିକ ଯାତ୍ରୀଙ୍କ ସମାଗମ ହେଇଥାଏ । ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ବ୍ୟବସ୍ଥାର ପ୍ରାଥମିକ ସର୍ବେକ୍ଷଣ ନିମନ୍ତେ ଦେଶର ପ୍ରମୁଖ ସୁରକ୍ଷା ସଂସ୍ଥା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ଟିମ୍ ଆସିବେ । ଆସନ୍ତା ୧୮ ତାରିଖରେ ୫ଜଣିଆ ଟିମ୍ ଆସୁଥିବା ନେଇ ବିଭାଗୀୟ ଚିଠିରୁ ଜଣାପଡ଼ିଛି । ଟିମ୍ରେ ୨ ଅଫିସର୍ ଓ ୩ କର୍ମଚାରୀ ରହିଛନ୍ତି । ଏହି ସମୟରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶାସନ ନେଇଥିବା ପଦକ୍ଷେପ ସମ୍ପର୍କରେ ବୁଝାଇ କହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି । ଯାହାକୁ ନେଇ ପ୍ରଶାସନ ତତ୍ପର ହୋଇପଡ଼ିଛି ।
ଏହାକୁ ଦୃଷ୍ଟିରେ ଚଳିତ ବର୍ଷ ପୁଣି ଥରେ ଏନ୍ଏସ୍ଜି ଟିମ୍ ଶ୍ରୀଜଗନ୍ନାଥ ମନ୍ଦିରକୁ ସମ୍ବେଦନଶୀଳ ସ୍ଥାନ ବୋଲି ଉଲ୍ଲେଖ କରି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ଆସୁଛି । ଏନ୍ଏସ୍ଜି ମୁଖ୍ୟ କାର୍ୟ୍ୟାଳୟ ପକ୍ଷରୁ ଏନେଇ ଆଇଜିପି ଅମିତାଭ ଠାକୁର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲିକଙ୍କ ସମେତ କେନ୍ଦ୍ରୀୟ ଗୋଇନ୍ଦା ବ୍ୟୁରୋ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ଟିମ୍ର ଯାତାୟାତ ଓ ରହଣି ସହିତ ସର୍ବେକ୍ଷଣରେ ସହଯୋଗ କରିବାକୁ କୁହାଯାଇଛି । ଚିଠି ପାଇବା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଇନ ବିଭାଗ ସଚିବଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି ।