ପ୍ରଥମାଷ୍ଟମୀରେ ଏଂଡୁରି ପିଠାର ଚାହିଦା

ପ୍ରଥମାଷ୍ଟମୀରେ ଏଂଡୁରି ପିଠାର ଚାହିଦା

ପ୍ରଥମାଷ୍ଟମୀରେ ଏଂଡୁରି ପିଠାର ଚାହିଦା

ଓଡ଼ିଶାର ବର୍ଷକରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ। କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏଥିରେ ପିଠାପଣାର ଚାହିଦା ଅଧିକ ରହିଥାଏ। ପ୍ରସ୍ତୁତ ତେବେ ପର୍ବପର୍ବାଣି ଅନୁଯାୟୀ ପ୍ରସ୍ତୁତ ହୋଇଥାଏ ପିଠାପଣା। ଯେପରି ଦଶହରା, ମାଗଶୀର ମାସ ମାଣ ଓଷାରେ ମଣ୍ଡାପିଠା ହେଉଥିବା ବେଳେ ରଜରେ ପୋଡ଼ପିଠା‌ର ଚାହିଦା ରହିଛି। ଚିତାଲାଗି ଅମାବାସ୍ୟାରେ ଚିତଉ ପିଠା କରାଯାଏ। ସେହିପରି ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଏକ ଓଡ଼ିଆ ପିଠା ରୁପରେ ପ୍ରସିଦ୍ଧ । ପ୍ରଥମାଷ୍ଟମୀରେ ଏହି ପିଠା ଓଡ଼ିଶାର ଘରେ ଘରେ ପ୍ରସ୍ତୁତ ହୁଏ ।  ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ବାମ୍ଫରେ ରଖି ସିଝାଇ ତିଆରି କରାଯାଏ । ତେବେ ସବୁଠାରୁ ବଡ଼କଥା ହେଲା ଏହି ପୀଠା ପ୍ରସ୍ତୁତିରେ ହଳଦୀ ପତ୍ରକୁ ବ୍ୟବହାର କରାଯାଏ। ହଳଦୀ ପତ୍ରର ବାସ୍ନା ଏହି ପିଠାର ସ୍ବାଦକୁ ବଢ଼ାଇ ଦେଇଥାଏ।  

ପ୍ରସ୍ତୁତ ପ୍ରଣାଳୀ- 

ଅରୁଆ ଚାଉଳ ଚୂନା,ବିରି,ଲୁଣ,ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ । ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖାଯାଏ । ଏହାକୁ ଅଥରା ହାଣ୍ଡି କୁହାଯାଏ । ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ଆଣ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢ଼ାଙ୍କି ଦିଆଯାଏ । କିଛି ସମୟ ପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କାଢ଼ି ଅଣାଯାଏ ପ୍ରସ୍ତୁତ ହୋଇଗଲା ଏଣ୍ଡୁରି ପିଠା । ଏହା ହେଖିବାକୁ ଲମ୍ବା ଓ ନରମ ହୋଇଥାଏ । ପୁର ଏଣ୍ଡୁରି ଓଡ଼ିଶାର ଗ୍ରାମାଞ୍ଚଳରେ ବନାହେଉଥିବା ଏଣ୍ଡୁରି ପିଠାର ଏକ ଅନ୍ୟରୂପ।