ପ୍ରଥମ ସିରିଜ୍‌ ପୋଛିନେଲେ ରାହୁଲ୍-ରୋହିତ ଯୋଡ଼ି

ପ୍ରଥମ ସିରିଜ୍‌ ପୋଛିନେଲେ ରାହୁଲ୍-ରୋହିତ ଯୋଡ଼ି

ପ୍ରଥମ ସିରିଜ୍‌ ପୋଛିନେଲେ ରାହୁଲ୍-ରୋହିତ ଯୋଡ଼ି

କୋଲାକାତା: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍କୁ ପୋଛି ନେଇଛି ଟିମ୍‌ ଇଣ୍ଡିଆ। ଏହାଦ୍ବାରା ରାଉଲ୍‌ ଦ୍ରାବିଡ୍‌-ରୋହିତ ଶର୍ମାଙ୍କ ନୂଆ ଯୋଡ଼ି ଏକ ଧମାକାଦାର ବିଜୟ ହାସଲ କରିଛି।  ପ୍ରଥମ ଦୁଇଟି ମ୍ୟାଚକୁ ଜିତି ଆଗୁଆ ସିରିଜ୍ କବଜା କରି ନେଇଥିବା ଟିମ୍ ଇଣ୍ଡିଆ ଆଜି ଇଡେନ ଗାର୍ଡେନରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ମଧ୍ୟ ବାଜିମାତ କରିଛି।

 ୭ ୱିକେଟ ବଳରେ ୧୮୪ ରନ୍ କରିଥିଲା ଇଣ୍ଡିଆ। ଏହାର ଜବାବରେ ଅକ୍ଷର ପଟେଲଙ୍କ ଜବରଦସ୍ତ ବୋଲିଂ ସାଙ୍ଗକୁ ଈଶାନ କିଶନଙ୍କ ଡବଲ ରନ ଆଉଟ ନ୍ୟୁଜିଲ୍ୟାଣ୍ତକୁ ଧରାଶାୟୀ କରିଛି। ଦଳ ୧୭.୨ ଓଭର୍ରେ କେବଳ ୧୧୧ ରନ୍ କରି ରନ ଆଉଟ ହୋଇଯାଇଛି। ଏହି ମ୍ୟାଚ୍କୁ ଟିମ ଇଣ୍ଡିଆ ୭୩ ରନ୍ ଜିତି ସିରିଜ୍କୁ ୩-୦ରେ କବଜା କରିଛି।

ଭାରତ ଦେଇଥିବା ୧୮୫ ରନ୍ର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଠିକ୍ ଠାକ ଆରମ୍ଭ କରିଥିଲା। ଏପରି କି ୨ ଓଭର୍ରେ ଦଳ ୨୨ ରନ୍ ହାସଲ କରି ନେଇଥିଲା। କିନ୍ତୁ ତୃତୀୟ ଓଭର୍ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ପ୍ରଥମେ ଡାରେଲ ମିଚେଲ(୫)ଙ୍କୁ ଆଉଟ କରିଥିଲେ।

ଏହାପରେ ମାର୍କ ଚାପମ୍ୟାନ(୦) ଓ ଗ୍ଲେନ ଫିଲିପ୍ସ(୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରିଦେଇଥିଲେ। ଓପନର ମାର୍ଟିନ ଗପ୍ଟିଲ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

କିନ୍ତୁ ଚହଲ ୫୧ ରନ୍ କରିଥିବା ଗପ୍ଟିଲଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଏହାପରେ ସାଇଫର୍ଟ(୧୭)ଙ୍କୁ ଈଶାନ କିଶନ ରନ ଆଉଟ ଯୋଗେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଜିମ୍ମି ନଶୀମ(୩)ଙ୍କ ୱିକେଟ ହର୍ଷଲ ପଟେଲ ନେଇଥିଲେ। ଦଳର କାମଚଳା ଅଧିନାୟକ ମିଚେଲ ସାଣ୍ଟନର(୨)ଙ୍କୁ ଈଶାନ କିଶନ ଡାଇରେକ୍ଟ ଥ୍ରୋ ଦ୍ୱାରା ରନ ଆଉଟ କରି ଦେବାକୁ କ୍ୱିୱି ଟିମ୍ର ବିଜୟ ଆଶା ମଉଳି ଯାଇଥିଲା।

ଆଡମ ମିଲ୍ନ ଗୋଟିଏ ଛକା ମାରିବା ପରେ ଭେଙ୍କଟେଶ ଆୟରଙ୍କ ବଲରେ ଆଉଟ ହୋଇଥିଲେ। ଏହା ଆୟରଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ। ଭାରତ ୭୩ ରନ୍ରେ ମ୍ୟାଚ୍ ସହ ସିରିଜ୍ କ୍ଲିନ ସୁଇପ କରିଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ସଫଳତା ପାଇଛନ୍ତି। ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଓ ୱିକେଟ ଦଖଲ କରିଛନ୍ତି।

ଏହାପୂର୍ବରୁ ଟିମ୍ ଇଣ୍ଡିଆ ରୋହିତ ଶର୍ମାଙ୍କ ୫୬ ଓ ଶେଷ ଭାଗରେ ଦୀପକ ଚହରଙ୍କ ବିସ୍ଫୋରକ ୨୧ ରନ୍ ବଳରେ ୭ ୱିକେଟ ହରାଇ ୧୮୪ ରନ୍ କରିଥିଲା।