ବଡ଼ଦାଣ୍ଡରୁ ଉଦ୍ଧାର ହେଲେ ବିଦେଶ ଫେରନ୍ତା ଶିକ୍ଷୟିତ୍ରୀ
ବଡ଼ଦାଣ୍ଡରୁ ଉଦ୍ଧାର ହେଲେ ବିଦେଶ ଫେରନ୍ତା ଶିକ୍ଷୟିତ୍ରୀ
admin
Mar 3, 2020 - 07:45
Updated: Mar 3, 2020 - 07:45
ପୁରୀ: ବଡ଼ଦାଣ୍ଡର ଭିକାରୀଙ୍କ ଉପରେ ପଡ଼ିଛି ପ୍ରଶାସନର ନଜର । ଜଣକ ପରେ ଜଣେ ଭିକାରୀଙ୍କୁ ନେଇ ବହୁ ରୋଚକ ତଥ୍ୟ ତଥା ହୃଦୟସ୍ପର୍ଶୀ କଥା ଏବେ ସାମ୍ନାକୁ ଆସିଛି । ବଡ଼ଦାଣ୍ଡରେ ସୋମବାର ଏହିଭଳି ଜଣେ ଭିକାରୁଣୀ ତଥା ସତ୍ୟବାଦୀର ଲକ୍ଷ୍ମୀପ୍ରିୟା ମିଶ୍ର (ମମତା)ଙ୍କୁ ଠାବ କରାଯାଇଛି । ମମତା ଏମିତି ସେମିତି ନୁହଁନ୍ତି, ସେ ଜଣେ ବିଦେଶ ଫେରନ୍ତା ମହିଳା ଯାହାଙ୍କ ଜୀବନ କାହାଣୀ ବେଶ ମର୍ମସ୍ପର୍ଶୀ ।
ସୁଦୂର ଇଥିଓପିଆରେ ଦୀର୍ଘ ଦିନ ଶିକ୍ଷକତା କରିବା ପରେ ଦିଲ୍ଲୀ, ପଞ୍ଜାବ ଓ ଗୁଜୁରାଟର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଏହି ମହିଳା ଜଣେ ଉଚ୍ଚ ଶିକ୍ଷିତା । ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିବା ପରେ ସେ ପୁରୀର ଏକ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ମାତ୍ର ମମତା ଜଣେ ଉଚ୍ଚାଭିଳାଷୀ ମହିଳା ଥିଲେ । ଚାକିରିରୁ ମିଳୁଥିବା ଅର୍ଥରେ ସେ ସନ୍ତୁଷ୍ଟ ନଥିଲେ । ତେଣୁ କିଛି ଶୁଭେଚ୍ଛୁଙ୍କ ସହଯୋଗରେ ବିଦେଶକୁ ଯାଇଥିଲେ । ସେଠାରେ ଯାଇ ପାଠ ପଢ଼ାଇଥିଲେ । ପରେ ଭାରତ ଫେରି ପଞ୍ଜାବରେ ଶିକ୍ଷକତା କରିଥିଲେ । ସମୟ ଚକ୍ରରେ ତାଙ୍କର ପାରିବାରିକ ଦୁଃଖ ତାଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଥିଲା । ସେ ଗ୍ରହଣ କରିଥିବା ପୋଷ୍ୟପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିବା ପରେ ସେ ମାନସିକ ଭାରସାମ୍ୟ ହରାଇଥିଲେ । ପରେ ସେ ମହାପ୍ରଭୁଙ୍କ ବଡ଼ଦାଣ୍ଡକୁ ଭିକ୍ଷାବୃତ୍ତି ଆପଣେଇ ନେଇଥିଲେ । ବୟସର ଅପରାହ୍ନରେ ଏବେ ତାଙ୍କ ପାଟିରୁ ପ୍ରଗଳଭ ଇଂରାଜୀ ବାହାରୁଛି । ସମ୍ପୃକ୍ତ ମହିଳାଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଉଦ୍ଧାର କରାଯାଇ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ଚିକିତ୍ସା ପରେ ତାଙ୍କୁ ଜରାଶ୍ରମରେ ଛାଡ଼ିବାର ଯୋଜନା ରହିଛି ।