ଭାରତର ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଂଟ ଥିଲେ ଡା. ହରେକୃଷ୍ଣ ମହତାବ - ପ୍ରଧାନମନ୍ତ୍ରୀ
ଭାରତର ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଂଟ ଥିଲେ ଡା. ହରେକୃଷ୍ଣ ମହତାବ - ପ୍ରଧାନମନ୍ତ୍ରୀ
admin
Apr 10, 2021 - 05:26
Updated: Apr 10, 2021 - 05:26
ନୂଆଦିଲ୍ଲୀ/ଭୁବନେଶ୍ୱର, – ଉକ୍ରଳ କେଶରୀ ଡା. ହରେକୃଷ୍ଣ ମହତାବ ଭାରତର ସ୍ୱାଧୀନତା ସଂଗ୍ରାମର ଶକ୍ତ ମାଇଲଖୁଂଟ ଥିଲେ ବୋଲି ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଂଟରନ୍ୟାସନାଲ ସେଂଟର ଠାରେ ସ୍ୱର୍ଗତ ଡ଼. ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ଡା. ହରେକୃଷ୍ଣ ମହତାବ ଦେଶର ସ୍ୱାଧୀନତା ପାଇଁ ଏବଂ ସ୍ୱାଧୀନତା ପରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଉଭୟ ଥର ଜେଲ୍ ଯାଇଥିଲେ । ଆମର ଇତିହାସକୁ ବ୍ୟାପକ ଭାବରେ ପଢିବାର ଆବଶ୍ୟକତା ରହିଛି । ଇତିହାସ କେବଳ ଅତୀତର ଘଟଣାବଳୀକୁ ଅନୁଧ୍ୟାନ କରିବା ନୁହେଁ ବରଂ ଭବିଷ୍ୟତରଆଇନା ମଧ୍ୟ । ଅନୁରୂପ ଭାବରେ ଓଡ଼ିଶା ଇତିହାସ’ ପଢ଼ିବା ମାନେ ଓଡ଼ିଶାକୁ ଜାଣିବା । ଓଡ଼ିଶା ଆମ ଦେଶର ସାଂସ୍କୃତିକ ବିବିଧତାର ସମ୍ପୂର୍ଣ୍ଣ ଚିତ୍ର ବୋଲି ସେ କହିଛନ୍ତି । ସେହିପରି ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ଡା. ହରେକୃଷ୍ଣ ମହତାବଙ୍କ ରଚିତ ଓଡିଶାର ଇତିହାସର ହିନ୍ଦୀ ସଂସ୍କରଣ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହେବା ଡ.ମହତାବଙ୍କ ପରି ଜଣେ ମହାନ ବ୍ୟକ୍ତିତ୍ୱ ଓ ତାଙ୍କର କାର୍ଯ୍ୟ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି । ଆଜିର ଦିବସ ଓଡ଼ିଶାର ସାମାଜିକ ଜୀବନରେ ଲମ୍ବା ସମୟ ପର୍ଯ୍ୟନ୍ତ ନୂଆ ପରିଚୟ ହୋଇ ରହିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ଓଡ଼ିଶା ଇତିହାସ ପୁସ୍ତକର ହିନ୍ଦୀ ସଂସ୍କରଣ ସାରା ଭାରତବର୍ଷର ପାଠକୀୟଙ୍କ ମଧ୍ୟରେ ଆଦୃତ ଲାଭ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ୱାବଧାନରେ ଡ. ଶ୍ରୀ ଶଙ୍କରଲାଲ ପୁରୋହିତଙ୍କ ଦ୍ୱାରା ଅନୁବାଦିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି, ଆୟୋଜକ ଓଡ଼ିଆ ସମାଜ ଓ ପୁସ୍ତକ ସହ ଜଡ଼ିତ ସଦସ୍ୟଗଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ହେବା ଆମ ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ । ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରିବା ଏବଂ ଓଡ଼ିଶାକୁ ଗାନ୍ଧିଜୀଙ୍କ ଆଗମନର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଆଜିର ଏହି ଉତ୍ସବ ସହ ରାଜ୍ୟର ୩୦ଟି ଜିଲ୍ଲାର ୩୪ଟି ସ୍ଥାନରୁ ବୁଦ୍ଧିଜୀବୀମାନ ଯୋଡ଼ି ହୋଇପାରିଛନ୍ତି । ଡ. ହରେକୃଷ୍ଣ ମହତାବ ଓଡ଼ିଆ ଲୋକଙ୍କ ପରିଚୟ ଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ । ଡ.ମହତାବ ୧୯୪୨ରୁ ୧୯୪୬ ପର୍ଯ୍ୟନ୍ତ ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବା ସମୟରେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ । ଡ. ମହତାବଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ କେବଳ ଏକ ପୁସ୍ତକ ନୁହେଁ ବରଂ ଓଡ଼ିଶାର ମହାନ ଗୌରବଗାଥାର ପରିଚୟ । ଓଡ଼ିଶାର ପରାକ୍ରମୀ ଯୋଦ୍ଧାଙ୍କ ତ୍ୟାଗ, ତପସ୍ୟା, ବୀରତ୍ୱର ଗାଥା, ବୁଦ୍ଧିମାନ ସମାଜ ଉପରେ ଆଧାରିତ ଏହି ଓଡିଶା ପୁସ୍ତକରେ କଳିଙ୍ଗ ଯୁଦ୍ଧ, ଖାରବେଳ ଶାସନ, ୧୮୧୭ର ପାଇକ ବିଦ୍ରୋହ, ସ୍ୱାଧୀନତା ସଂଗ୍ରାମ ଏବଂ ଆଧୁନିକ ଓଡ଼ିଶା ପାଇଁ ତାଙ୍କର ଥିବା କଳ୍ପନା ଇତ୍ୟାଦି ବର୍ଣ୍ଣିତ । ସ୍ଥାନୀୟ ଇତିହାସକୁ ଇଂରାଜୀରେ ଲେଖି ଡ.ମହତାବ ‘ହ୍ରିଷ୍ଟ୍ରି ଅଫ୍ ଓଡ଼ିଶା’ ନାମରେ ଏ ପୁସ୍ତକକୁ ପ୍ରଥମେ ଜାତୀୟ ସ୍ତରକୁ ଆଣି ଓଡିଶାକୁ ଗର୍ବିତ କରିଛନ୍ତି । ପ୍ରାଚ୍ୟ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡ଼ିଆ ଭାଷା ହେଉଛି ପ୍ରଥମ । ଓଡ଼ିଆ ପରି ଆଂଚଳିକ ଭାଷା ହେଉ କିମ୍ବା ଓଡ଼ିଶାର ହଳଧର ନାଗଙ୍କ ଭଳି ଅନେକ ପ୍ରତିଭାବାନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଓଡ଼ିଶା ବିଷୟରେ ପ୍ରଧାନମନ୍ତ୍ରୀ ବହୁତ ଚିନ୍ତା କରିଛନ୍ତି । ନବକଳେବର ବେଳେ ପ୍ରଧାନମନ୍ତ୍ରୀ ଅର୍ଥ ମଞ୍ଜୁର କରିଥିଲେ । ଓଡ଼ିଶାର ନାୟକ ସାରଙ୍କ ଭଳି ସାଧାରଣ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରଶଂସା କରିଛନ୍ତି । ସର୍ବଦା ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସ୍ନେହ ଦେବା ସହ ଦାୟିତ୍ୱ ନେଇଛନ୍ତିବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।