ମଣିଷକୁ ଗିଳିଲା ଅଜଗର!
ମଣିଷକୁ ଗିଳିଲା ଅଜଗର!
ଭୁବନେଶ୍ୱର : ଅଜଗର ଗିଳିଲା ମଣିଷ । ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି କୌଣସି ବାହାର ଦେଶ କିମ୍ବା ରାଜ୍ୟର ନୁହଁ। କଟକ ଜିଲ୍ଲା ବାଙ୍କୀ ସବଡିଭିଜନ ଅଞ୍ଚଳରେ । ଘଟଣାକ୍ରମରେ ବାଙ୍କୀ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧଙ୍କୁ ଏକ ଅଜଗର ଗିଳିଦେଇଥିବା ଖବର ମଙ୍ଗଳବାରଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପଟି ମଣିଷକୁ ଗିଳିବା ବା ଧରିବା କେହି ଦେଖିନାହାନ୍ତି, କିନ୍ତୁ ଭାଇରାଲ ଭିଡିଓରେ ଥିବା ଉକ୍ତ ଅଜଗର ମଣିଷ ମୋଟାର କିଛି ଗୋଟେ ଗିଳିଥିବା ଦେଖିବାକୁ ମିଳୁଛି । ପୁଣି ଠିକ୍ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ପତ୍ତା ନ ମିଳିବା ଓ ତାଙ୍କ ବାଇକ୍ ଜଙ୍ଗଲରୁ ଠାବ ହେବା ଘଟଣା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି ।
ଗତ ୨୯ ତାରିଖ ସକାଳ ପ୍ରାୟ ୮ଟାରେ ଡମପଡ଼ା ଅଭୟାରଣ୍ୟର ପ୍ରବେଶ ପଥ ଜାରିଆ ନିକଟସ୍ଥ ଚେକ୍ ଗେଟରେ କେତେଜଣ ଶ୍ରମିକ ପହଞ୍ଚତ୍ ଏକ ମୋପେଡ ଗାଡ଼ି ବେଙ୍ଗପାଣି ଘାଟି ନିକଟରେ ମୁଖ୍ୟ ରାସ୍ତାରୁ ଖସି ପଡ଼ିଥିବା ନେଇ ସୂଚନା ଦେଇଥିଲେ । ଏପରିକି ଉକ୍ତ ଗାଡ଼ି ନିକଟରେ କେହି ଲୋକ ନାହାନ୍ତି, ପାଖର କିଛି ପିନ୍ଧା ଲୁଗା ଓ ଜରି ପଡ଼ିଥିବା କହିଥିଲେ । ସଙ୍ଗେସଙ୍ଗେ ଡମପଡ଼ା ରେଞ୍ଜ୍ ଅଧିକାରୀ ବିରାଜ ଦାସଙ୍କ ନିର୍ଦ୍ଦେଶରେ ଫରେଷ୍ଟର ଓ ଗାର୍ଡ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ଏଥିସହ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା । ଗାଡ଼ିଟି ମୁଖ୍ୟ ରାସ୍ତାର ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ପୋଲିସ ଓ ବନ କର୍ମଚାରୀ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ନ ପାଇବାରୁ ମଙ୍ଗଳବାର ପୋଲିସ ସନ୍ଧାନୀ କୁକୁରର ସହାୟତା ନେଇଥିଲେ । ସନ୍ଧାନୀ କୁକୁର ବେଙ୍ଗପାଣି ଘାଟିରୁ ନିଖୋଜ ବ୍ୟକ୍ତିଙ୍କ ପିନ୍ଧା ଲୁଗା ଶୁଙ୍ଘିବା ପରେ ଜାରିଆ ଶବର ସାହି ଅଞ୍ଚଳକୁ ଯାଇଥିଲା ।
ତେବେ ସନ୍ଧାନୀ କୁକୁର ସହ ଡଗ୍ ସ୍କ୍ୱାଡ୍ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଫେରି ଆସିଥିଲେ । ସେହି ସମୟରେ ନିକଟସ୍ଥ ଗ୍ରାମର ନିଖୋଜ ବୃଦ୍ଧ ନନ୍ଦ କିଶୋର ବେହେରାଙ୍କ ପରିବାର ଲୋକ ଖବର ପାଇବା ପରେ ମଙ୍ଗଳବାର ପ୍ରାୟ ୫୦ଜଣ ଲୋକଙ୍କୁ ପାରିଶ୍ରମିକ ଦେଇ ଜଙ୍ଗଲ ଭିତରେ ଖୋଜିଥିଲେ । ଦେଉଳିଆ ମୁଣ୍ଡିଆ ପାହାଡ଼ରେ ଦିନ ପ୍ରାୟ ୨ଟାବେଳେ ଏକ ଅଜଗର କିଛି ଗୋଟେ ଗିଳିଥିବା ଦେଖିଥିଲେ । ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ଥିଲେ । ସାପଟିର ଲମ୍ବ ପ୍ରାୟ ୧୦ରୁ ୧୨ଫୁଟ ଓ ତା’ର ପେଟ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଫୁଲିଥିବା ଦେଖାଯାଇଥିଲା । ଏ ନେଇ ରେଞ୍ଜ୍ ଅଧିକାରୀ ଦାସ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ଗାଡ଼ି ମିଳିଥିବା ସ୍ଥାନ ବେଙ୍ଗପାଣି ଘାଟି ଓ ଅଜଗର ଦେଖାଯାଇଥିବା ସ୍ଥାନ ଭିତରେ ଅତି କମରେ ୨ କି.ମି. ଦୂରତା ହେବ । ତାହା ବି ଗୋଟିଏ ପାହାଡ଼ରୁ ଓହ୍ଲାଇ ଆଉଏକ ପାହାଡ଼ ଚଢ଼ିବାକୁ ପଡ଼ିବ। କିନ୍ତୁ ଅଜଗର ମଣିଷ ଭଳି ଏତେବଡ଼ ଜୀବ ଖାଇଲେ ସାଧାରଣତଃ ପଥର ଖୋଲରେ ଲୁଚିକି ରହିବ । ଏତେ ଓଜନ ଶରୀରକୁ ନେଇ ଚଳପ୍ରଚଳ କରିବା ସମ୍ଭବ ହେବ ନାହିଁ । ତଥାପି ନିଖୋଜ ବ୍ୟକ୍ତିଙ୍କ ପାଇଁ ଆମର ସମବେଦନା ରହିଛି । ଆମ କର୍ମଚାରୀମାନେ ତାଙ୍କୁ ଦିନ ତମାମ ଖୋଜୁଛନ୍ତି ।
ସେପଟେ ଏ ଘଟଣାକୁ ଅନ଼ୁଧ୍ୟାନ କରିବା ପାଇଁ ବୁଧବାର ସ୍ନେକ୍ ହେଲ୍ପଲାଇନର ୫ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ତାଙ୍କ ସହିତ ଦୁଇଜଣ ବନ କର୍ମଚାରୀ ମଧ୍ୟ ଯାଇଥିଲେ । କିନ୍ତୁ ସେଠାରେ ଅଜଗର ସାପ ଦେଖାଯାଇ ନ ଥିଲା । ସାପର ଘୋଷରା ଦାଗ ସହିତ ମଳତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୧୦-୧୨ଫୁଟ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ଲମ୍ବର ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ମାରିବାକୁ ସକ୍ଷମ ହୋଇପାରିବ । କିନ୍ତୁ ଗିଳିବା ସମ୍ଭବ ନୁହେଁ । ଖାଲି ଓଡ଼ିଶା ନୁହେଁ, ଭାରତୀୟ ଅଜଗର ଭାରତ ବା ଅନ୍ୟ କେଉଁଠି ମଣିଷକୁ ଗିଳିଥିବା ନଜର ନାହିଁ । ଅଜଗର ଖାଇଛି ବୋଲି ଭାବି ସେ ଦିଗରେ ମାତିଲେ ଆମେ ନିଖୋଜ ବ୍ୟକ୍ତିଙ୍କଠାରୁ ଦୂରେଇଯିବା ଏବଂ ତାଙ୍କ ଜୀବନ ଅଧିକ ବିପନ୍ନ ହୋଇପଡ଼ିବ । ତେବେ ଅଜଗରଟି ମଣିଷ ଖାଇଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏକ୍ସ-ରେ କରିବାକୁ ପଡ଼ିବ ବୋଲି ଶୁଭେନ୍ଦୁ କହିଛନ୍ତି ।




admin 