ମନ୍ତ୍ରୀଙ୍କ ଆଗରେ ଘଣ୍ଟ ବାଡ଼େଇଲେ ତାରା

ମନ୍ତ୍ରୀଙ୍କ ଆଗରେ ଘଣ୍ଟ ବାଡ଼େଇଲେ ତାରା

ମନ୍ତ୍ରୀଙ୍କ ଆଗରେ ଘଣ୍ଟ ବାଡ଼େଇଲେ ତାରା

ଭୁବନେଶ୍ୱର : ଶୀତ ଅଧିବେଶନରେ ଗୃହରେ ଅଚଳାବସ୍ଥା ଥମିବାର ନାଁ ଧରୁନାହିଁ  । ଆଜିକୁ ମିଶାଇ ୮ ଦିନ ଧରି ବିଧାନସଭା ବସ୍ତୁତଃ ଠପ ହୋଇଯାଇଛି।  ବିରୋଧୀ ବିଧାୟକମାନେ ଘଂଟ ମାଡ଼ କରିବା ସହ ବାଚସ୍ପତିଙ୍କ ଉପରକୁ ପ୍ଲାକାଡର଼୍ ମଧ୍ୟ ଫିଙ୍ଗିଛନ୍ତି  । ଏମିତିକି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସାମ୍ନାରେ କଂଗ୍ରେସ ବିଧାୟକ ଘଂଟ ପିଟିବାରୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀଙ୍କୁ ବିଜେଡ଼ି ବିଧାୟକ ଘେରି ରହିଥିବା ଦେଖିବାକୁ ମିଳିଥିଲା  ।

ମନ୍ତ୍ରୀ ପ୍ରତାପ ଜେନା ଖର୍ଚ୍ଚଦାବି ଆଗତ କରିବା ପରେ ଆଲୋଚନାରେ ବିଧାୟକ ଅଶ୍ୱିନୀ ପାତ୍ର ଅଂଶଗ୍ରହଣ କରିଥିଲେ  । ଅପରପକ୍ଷରେ ମନ୍ତ୍ରୀ ଶ୍ରୀ ଜେନା କହୁଥିବାବେଳେ ତାଙ୍କ ଆଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଘଂଟ ବାଡାଉଥିବା ଦେଖିବାକୁ ମିଳିଥିଲା  । କଂଗ୍ରେସ ବିଧାୟକ ତାରା, ସୁର ରାଉତରାୟ, ସିଏସ ରାଜେନ ଏକ୍କା ପ୍ରମୁଖ ରିପୋର୍ଟରଙ୍କ ଟେବୁଲ ଚାରିପଟେ ବୁଲିବୁଲି ଘଂଟ ବଜାଇଥିଲେ  । ବିଧାୟକ ତାରା ବାହିନୀପତି ରିପୋର୍ଟରଙ୍କ ଟେବୁଲ ଉପରେ ଠିଆହୋଇ ଘଂଟା ମାଡ଼ କରିଥିବାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସଚିବଙ୍କ ଚଉକି ଉପରେ ଠିଆହୋଇ ଘଂଟ ବଜାଇଥିଲେ  ।  ବାଚସ୍ପତିଙ୍କ ଉପରକୁ ବିରୋଧୀ ବିଧାୟକମାନେ ପ୍ଲାକାଡର଼୍ ଫିଙ୍ଗିବାକୁ ବି ପଛାଇନଥିଲେ  । ତେବେ ସୁରକ୍ଷା କର୍ମୀମାନେ ପ୍ଲାକାଡର଼୍କୁ ଧରି ଫୋପାଡ଼ି ଦେଉଥିଲେ  । ଅପରପକ୍ଷରେ ମନ୍ତ୍ରୀ ପ୍ରତାପ ଜେନା ଖର୍ଚ୍ଚଦାବି ଉପରେ କହୁଥିବାବେଳେ ତାଙ୍କ ପାଖରେ ବିଧାୟକ ସର୍ବଶ୍ରୀ  ରୋହିତ ପୂଜାରୀ, ପ୍ରଣବ ବଳବନ୍ତରାୟ ଓ ବିକ୍ରମ ପଣ୍ଡା ଘେରି ରହିଥିବା ଦେଖିବାକୁ ମିଳିଥିଲା  । ହୋହାଲ୍ଲା ଓ ହଟ୍ଟଗୋଳ ଭିତରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ଗୃହୀତ ହେବାପରେ ବାଚସ୍ପତି ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଜରିଆରେ ଗୃହୀତ କରାଇଥିଲେ  । ପରେ ଗୃହକୁ ଅପରାହ୍ନ ସାଢେ଼ ୪ଟାରୁ ଆସନ୍ତାକାଲି ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା  ।