ମେ’ରୁ ହୋଇପାରେ ଖରାଛୁଟି!

ମେ’ରୁ ହୋଇପାରେ ଖରାଛୁଟି!

ମେ’ରୁ ହୋଇପାରେ ଖରାଛୁଟି!

 ସ୍ପଷ୍ଟଭୁବନେଶ୍ୱର : ମେ’ରୁ ହୋଇପାରେ ଖରାଛୁଟି। ଧିରେଧିରେ ଏହା ସ୍ପଷ୍ଟ ହେବାରେ ଲାଗିଛି  । ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇ ନଥିବାବେଳେ କେତେକ ସ୍କୁଲ ମେ’ରୁ ଖରାଛୁଟି କରିବା ପାଇଁ ଘୋଷଣା କରିସାରିଛନ୍ତି  । ରାଜଧାନୀର ଏକ ଘରୋଇ ସ୍କୁଲ ପୂର୍ବ ବର୍ଷଗୁଡ଼ିକ ଭଳି ମେ’ ୨ରୁ ଜୁନ ୨୦ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ନୋଟିସ ମଧ୍ୟ ଦେଇସାରିଛି  ।

ସମ୍ପ୍ରତ୍ତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି  । ଅପ୍ରେଲ ୨୬ରୁ ମେ’ ୩୦ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିଥିବାବେଳେ ମେ’ର ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି  । ତେବେ ପିଲା ନଆସିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ଏବଂ ଦଶମ ଓ ଦ୍ୱାଦଶ ପରୀକ୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି  । 

ପ୍ରବଳ ଖରାରେ ଏବେ ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି  । ପଦାକୁ ବାହାରିଲେ ଆକାଶରୁ ଅଗ୍ନି ବର୍ଷା ହେବାଭଳି ପ୍ରତୀୟମାନ ହେଉଛି  । କିନ୍ତୁ ଖରା ହେଉଥିଲେବି ଚଳତି ବର୍ଷ ଖରାଛୁଟି ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ  । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ ୧ରୁ ଜୁନ ୧୬ ପର୍ୟ୍ୟନ୍ତ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ ୧୦ରୁ ଜୁନ ୧୬ ପର୍ୟ୍ୟନ୍ତ ଖରାଛୁଟି ଘୋଷଣା କରାଯାଇଥିଲା  । କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ପାଠପଢ଼ା ବ୍ୟାହତ ହୋଇଥିବାରୁ ଏତାଦୃଶ ନିଷ୍ପତ୍ତି ନିଆଯାଇଥିଲା  । କିନ୍ତୁ ଏଭଳି ନିଷ୍ପତ୍ତିକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ  । ମେ’ରେ ଖରା ହେଉଥିବାବେଳେ ଜୁନରେ କାହିଁକି ଛୁଟି ଦିଆଯିବ ବୋଲି ପ୍ରଶ୍ନ ଉଠିଥିଲା  । ଏମିତିକି ଜୁନରେ ସ୍କୁଲ ଖୋଲା ରଖି ମେ’ରେ ଛୁଟିଦେବାକୁ ଶିକ୍ଷକମାନେ ମଧ୍ୟ ଦାବି କରିଥିଲେ  । ତେବେ ସେ ଯାହାହେଉନା କାହିଁକି ତାତି କମିବାର ସମ୍ଭାବନା ନଥିବାରୁ ମେ’ରୁ ହିଁ ଖରାଛୁଟି ହେବବୋଲି କୁହାଯାଉଛି  ।