ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା ଜାରି
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ୍ କଟକଣା ଜାରି
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧିମାର୍ଗ ଚଳଚଞ୍ଚଳ ହେଲାଣି । ଆସନ୍ତା ୨୨ରୁ ୨୪ ଯାଏଁ ଅଭ୍ୟାସ ପରେଡ୍ ଚାଲିବ । ଆସନ୍ତା ୨୬ ତାରିଖ ସକାଳେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉଡି଼ବ ।
ଏଥିପାଇଁ କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା କଷିଛି । ସାଧାରଣତନ୍ତ୍ର ଦିବସ ସକାଳ ସାଢ଼େ ୬ଟାରୁ ଉତ୍ସବ ସରିବା ଯାଏଁ ‘ଗାନ୍ଧିମାର୍ଗ’ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ । ପ୍ରାୟ ଅଢ଼େଇ ଘଣ୍ଟା ଯାଏଁ ସେଠାରେ ଉତ୍ସବ ଚାଲିବ । ଏଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଧାର୍ୟ୍ୟ କରାଯାଇଛି । ଉକ୍ତ ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ଗାଡି଼ମଟର ଯାଇପାରିବ । ଗନ୍ତବ୍ୟସ୍ଥଳ ପାଇଁ ବିକଳ୍ପ ରାସ୍ତା ବାଛିବାକୁ ପୁଲିସ ପରାମର୍ଶ ଦେଇଛି । ହାଉସିଂ ବୋର୍ଡ ଛକ ଦେଇ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିବା ଗାଡିଗୁଡି଼କ କେଶରୀ ହଲଠାରୁ ବାମ ପାଶ୍ୱର୍ ଗଳି ରାସ୍ତା ଦେଇ ଯାଇପାରିବ । ସେହିପରି ଜୟଦେବ ଭବନ କଡ଼ରେ ପୁଲିସର ବ୍ଲକିଂ ବାରିକେଡ ରହିବ । ଏଜି ଛକରୁ ପିଏମ୍ଜି ଛକ ଆଡ଼େ ଯାଉଥିବା ଗାଡ଼ି ସେଠାରୁ ଡାହାଣ ପାଶ୍ୱର୍ ଆଇଜି ପାର୍କ ଗଳି ଦେଇ ଇଡକଲ୍ ଅଡିଟୋରିୟମ ରାସ୍ତାରେ ଯାଇପାରିବ । ୧୨୦ ବାଟାଲିଅନ ଛକ ଆଡୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡି଼ ଏମଏଲଏ କଲୋନି ଦେଇ ୪ନମ୍ବର ମାର୍କେଟ ରାସ୍ତାରେ ଯାଇପାରିବେ ।ଜନପଥରୁ କୌଣସି ଗାଡି଼କୁ ମହାତ୍ମାଗାନ୍ଧୀ ମାର୍ଗ ଆଡ଼କୁ ଛଡ଼ା ଯିବନି । ଗାନ୍ଧୀମାର୍ଗ ସଲଂଗ୍ନ ସମସ୍ତ ଗଳି ରାସ୍ତାରେ ଯାନବାହାନ ପଶିପାରିବନି । ଉତ୍ସବ ଦେଖିବା ପାଇଁ କେବଳ ପଥଚାରୀମାନଙ୍କୁ ଏହି ମାର୍ଗରେ ଯିବାକୁ ଅନୁମତି ମିଳିବ । ଏହାବାଦ୍ ସ୍ୱତନ୍ତ୍ର ଭାବେ ଅନୁମତି ତଥା ପାସ୍ ଥିବା ଗାଡ଼ି ଏହି ରାସ୍ତା ଦେଇ ଉତ୍ସବସ୍ଥଳକୁ ଯାଇପାରିବ । ସେହିପରି ପରେଡ ରିହାଲର୍ସଲ ପାଇଁ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଗାନ୍ଧିମାର୍ଗ ବନ୍ଦ ରହିବ । ଆସନ୍ତା ୨୪ ରେ ସକାଳ ୭ଟାରୁ ସାଢ଼େ ୧୦ଟା ଯାଏଁ ମଧ୍ୟ ଏହି ରାସ୍ତାରେ ଗାଡି଼ମଟର ଯା’ ଆସ କରିପାରିବନି ।




admin 