ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣ : ନବୀନ ପଟ୍ଟନାୟକ

ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣ : ନବୀନ ପଟ୍ଟନାୟକ

ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣ : ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଲୋକଙ୍କର ଆହୁରି ନିକଟତର ହେଉ । ଲୋକଙ୍କ ସମସ୍ୟା ଶୁଣ । ସମସ୍ୟାର କାରଣ ଖୋଜି ଏହାର ତତ୍କାଳ ସମାଧାନ ପାଇଁ ଟେକ୍ନୋଲୋଜିର ସହାୟତା ନିଅ । ସରଳ ଉପାୟ ଓ ତ୍ୱରିତ୍‌ ବେଗରେ ସମସ୍ୟାକୁ ସୁଧାର । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣ। ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କର । ଜିଲ୍ଲାପାଳ,  ସଚିବ ତଥା ବରିଷ୍ଠ ଆଇଏଏସ୍‌ଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶର ଲକ୍ଷ୍ୟ ପୂରଣ ପାଇଁ ପ୍ରତି ଜିଲ୍ଲା ମଧ୍ୟରେ ପ୍ରତିଯୋଗିତା ହେଉ । ନୂଆ ମାପଦଣ୍ଡ ହାସଲ ପାଇଁ ଜିଲ୍ଲାଗୁଡିକ ଉଦ୍ୟମ କରନ୍ତୁ । କମ୍‌ ସମୟ ଭିତରେ ଯେଭଳି ସବୁ ବିକାଶମୂଳକ ସରିବ, ତାହା ମୁଁ ଦେଖିବାକୁ ଚାହୁଁଛି । ପ୍ରତିଟି ଯୋଗ୍ୟ ହିତାଧିକାରୀ ପାଖରେ ଯେଭଳି ବିକାଶ ପହଞ୍ଚିବ ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିକାଶକୁ ଆହୁରି ଆଗକୁ ନେବାକୁ ଜିଲ୍ଲାପାଳଙ୍କଠାରୁ  ପ୍ରସ୍ତାବ ବି ଲୋଡ଼ିଥିଲେ ।ଓଡ଼ିଶାର ସଫଳତା ବଖାଣି ସେ କହିଛନ୍ତି, ପରିବର୍ତ୍ତନକାରୀ (ଟ୍ରାନ୍ସଫର୍ମମେଟିଭ୍‌) ପ୍ରୟାସରେ ଆମ ରାଜ୍ୟ ଅନ୍ୟମାନଙ୍କଠାରୁ ଆଗରେ ଅଛି ।
କ୍ରିଡା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତରଣ, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ ଓ କୋଭିଡ୍‌ ପରିଚାଳନାରେ ଓଡିଶା ଅଗ୍ରଣୀ ରହିଛି । ୫-ଟି ଓ ମୋ ସରକାର ରାଜ୍ୟର ଶାସନ ଓ ପ୍ରଶାସନରେ ଏକ ବିରାଟ ପରିବର୍ତ୍ତନ ଆଣିଛି ।  ପ୍ରଶାସନ ଲୋକଙ୍କର ଅଧିକ ନିକଟତର ହୋଇଛି ।

ଆମ ରାଜ୍ୟ ଏବେ ବଳକା ଖାଦ୍ୟ ଉତ୍ପାଦନକାରୀ ପାଲଟିଛି । ଜାତୀୟସ୍ତରର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ବଡ଼ ଯୋଗଦାନ ରହିଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ରୋଜଗାର ଦେଉଛି । ଏଥିପାଇଁ ଆମେ ଫାର୍ମ ଯାନ୍ତ୍ରିକୀକରଣ, ଫସଲ ବିବିଧିକରଣ, ଉଦ୍ୟାନକୃଷି, ଫୁଲ ଚାଷ, ଗୋପାଳନ ଓ ମତ୍ସ୍ୟ ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ପୁଷ୍ଟିର ବିକାଶ ପାଇଁ ରାଜ୍ୟର ମିଲେଟ୍‌ ମିଶନ ଜାତୀୟସ୍ତରରେ ଆଦୃତ ହୋଇଛି । ଏହି ମିଶନ ଗ୍ରାମାଞ୍ଚଳର ଅର୍ଥନୀତିକୁ ନୂଆ ସଞ୍ଜୀବନୀ ଦେବାର ସାମର୍ଥ୍ୟ ରଖୁଛି । ରାଜ୍ୟର ଅର୍ଥନୈତିକ ବିକାଶରେ ଷ୍ଟାର୍ଟଅପ୍‌ର ବଡ଼ ଅବଦାନ ରହିଛି । ଏଥିପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ପାଇଁ ‘ଓ ହବ୍‌’ ଏକ ବଡ଼ ଇନକ୍ୟୁବେସନ୍‌ ସେଣ୍ଟର ପାଲଟିଛି । ଦେଶର ତିନି ପ୍ରମୁଖ ଷ୍ଟାର୍ଟଅପ୍‌ ଠିକଣା ଭିତରେ ଓଡ଼ିଶାକୁ ସ୍ଥାନିତ କରିିବାକୁ ଆମେ ପ୍ରୟାସ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।