ଶ୍ରୀଲଙ୍କାରେ ଖାଦ୍ୟ ସଂକଟ, ଦୋକାନରେ ଲମ୍ବାଧାଡ଼ି
ଶ୍ରୀଲଙ୍କାରେ ଖାଦ୍ୟ ସଂକଟ, ଦୋକାନରେ ଲମ୍ବାଧାଡ଼ି
ନୂଆଦିଲ୍ଲୀ: ଶ୍ରୀଲଙ୍କା ସରକାର ଦେଶରେ ଖାଦ୍ୟ ସଙ୍କଟ ଘୋଷଣା କରିଛନ୍ତି । ସେଠାରେ ବିଦେଶୀ ମୁଦ୍ରାର ଘୋର ଅଭାବ ଦେଖାଦେଇଛି । ତେଣୁ ଆମଦାନି କରିବା ସମ୍ଭବ ହେଉନାହିଁ । ସେଥିପାଇଁ ଖାଦ୍ୟକୁ ନେଇ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି । ଚିନି, ଚାଉଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମଜୁଦକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାସ୍କା ଦେଶରେ ଖାଦ୍ୟ ସଙ୍କଟ ଘୋଷଣା କରିଛନ୍ତି । ଧାନ, ଚାଉଳ, ଚିନି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଯୋଗାଣକୁ ନିଶ୍ଚିତ କରିବା ସହ ସମନ୍ବୟ ରକ୍ଷା କରିବା ଲାଗି ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରୀଲଙ୍କା ଏବେ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସେଠାରେ ଚିନି, ଚାଉଳ, ପିଆଜ ଓ ଆଳୁ ଦାମ ଆକାଶଛୁଆଁ ସ୍ତରରେ ପହଞ୍ଚିଯାଇଛି । ଦୁଗ୍ଧ ପାଉଡର, କିରାସିନି ଓ ରୋଷେଇ ଗ୍ୟାସର ମଧ୍ୟ ଅଭାବ ଦେଖାଦେଇଛି । ଖାଦ୍ୟ ସାମଗ୍ରୀ କିଣିବା ଲାଗି ଦୋକାନ ସାମ୍ନାରେ ଲୋକମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଖାଦ୍ୟ ମହଜୁଦକାରୀଙ୍କ ବିରୋଧରେ ଜରିମାନାକୁ ସରକାର ବଢ଼ାଇ ଦେଇଛନ୍ତି । କରୋନା ମହାମାରୀକୁ ସାମ୍ନା କରୁଥିବା ଏହି ଦେଶର ଲୋକମାନେ ଏବେ ଖାଦ୍ୟ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି । ଶ୍ରୀଲଙ୍କାର ବ୍ୟାଙ୍କଗୁଡ଼ିକ ପାଖରେ ବିଦେଶୀ ମୁଦ୍ରାର ଅଭାବ ରହିଛି । ଯେତିକି ବିଦେଶୀ ମୁଦ୍ରା ରହିଛି ତାହାକୁ ସୁରକ୍ଷିତ ରଖିବା ଲାଗି ଗତ ମାର୍ଚ୍ଚରେ ଶ୍ରୀଲଙ୍କା ସରକାର ଗାଡ଼ି, ଖାଇବା ତେଲ, ହଳଦୀ, ମାସଲା ଆଦିର ଆମଦାନି ଉପରେ କଟକଣା ଲଗାଇଥିଲେ । କେବଳ ଖାଦ୍ୟ ସାମଗ୍ରୀ ଓ ଔଷଧ ଆମଦାନି ଲାଗି ଅନୁମତି ରହିଛି । ତାହା ମଗାଇଥିବା ଆମଦାନିକାରୀଙ୍କୁ ମଧ୍ୟ ପେମେଣ୍ଟ ଲାଗି ଡଲାର ମିଳୁନାହିଁ । ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୨୮୦ କୋଟି ଡଲାରର ବିଦେଶୀ ମୁଦ୍ରା ରହିଛି । ନୂଆ ସରକାର କାର୍ୟ୍ୟଭାର ଗ୍ରହଣ କରିବା ବେଳେ ୨୦୧୯ ନଭେମ୍ବରରେ ସେହି ଭଣ୍ଡାରରେ ୭୫୦ କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ଥିଲା । ଏହା ପରଠାରୁ ସେଠାକାର ସ୍ଥାନୀୟ ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ୨୦ ପ୍ରତିଶତ ହ୍ରାସ ପାଇଛି । ନିଜ ମୁଦ୍ରାର ମୂଲ୍ୟ ବଢ଼ାଇବା ଲାଗି ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଦୁଇ ସପ୍ତାହ ପୂର୍ବେ ସୁଧ ହାର ବଢ଼ାଇଥିଲେ । ଦେଖିଚାହିଁ ତୈଳ ବ୍ୟବହାର କରିବାକୁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ ଉଦୟ ଗାମାନପିଲା ଦେଶବାସୀଙ୍କୁ ନିବେଦନ କରିଛନ୍ତି । ତେଲ ଆମଦାନିରେ ହେଉଥିବା ଖର୍ଚ୍ଚ କମ୍ କରି ସେହି ଅର୍ଥରାଶିକୁ ସରକାର ଅତ୍ୟାବଶ୍ୟକ ଔଷଧ ଓ ଟିକା ଆମଦାନି କରିବା ଲାଗି ବ୍ୟବହାର କରିବାକୁ ଚାହୁଛନ୍ତି । ରାଷ୍ଟ୍ରପତିଙ୍କ ନିକଟତମ କୁହାଯାଉଥିବା ଗାମାନପିଲା କହିଛନ୍ତି ଯେ ତୈଳ ବ୍ୟବହାର ହ୍ରାସ ନହେଲେ ବର୍ଷ ଶେଷ ସୁଦ୍ଧା ଏହାର ମୁକାବିଲା ଲାଗି ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ ।




admin 