ହାତୀ ଉଦ୍ଧାରବେଳେ ଓଲଟିଲା ଓଡ୍ରାଫ ବୋଟ୍

ହାତୀ ଉଦ୍ଧାରବେଳେ ଓଲଟିଲା ଓଡ୍ରାଫ ବୋଟ୍


କଟକ: ମୁଣ୍ଡୁଳୀ ବ୍ୟାରେଜ ତଳେ ମହାନଦୀରେ ଫସିଥିବା ହାତୀ ଉଦ୍ଧାରବେଳେ ଘଟିଲା ଅଘଟଣ । ପାଟି କରି ହାତୀକୁ ପାଣି ଭିତରେ ଘଉଡ଼ାଇ କୂଳ ଆଡ଼କୁ ଯିବା ପାଇଁ ଉଦ୍ୟମ କରୁଥିବାବେଳେ ବ୍ୟାରେଜ ତଳେ ପ୍ରଖର ସ୍ରୋତରେ ଓଲଟି ପଡ଼ିଥଲା ଓଡ୍ରାଫ ବୋଟ୍ । ଏହି ବୋଟରେ ଓଡ୍ରାଫ ଟିମ୍ ସହ ଏକ ଘରୋଇ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ  ଓଡ୍ରାଫ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚଳାଇଛି ।  ସମସ୍ତେ ଲାଇଫ୍ ଜ୍ୟାକେଟ ପିନ୍ଧିଥିବାବେଳେ ଦଉଡ଼ି ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ପାଣିର ପ୍ରଖର ସ୍ରୋତରେ ଗୁରୁତର ହୋଇଥିବାରୁ କେତେକଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି । 

  ଏହି ଉଦ୍ଧାର କାର୍ଯ୍ୟ ଦେଖିବାକୁ ମୁଣ୍ଡୁଳି ବ୍ରିଜ୍ ଉପରେ ପ୍ରବଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ନିଜେ ନିଜେ କୂଳକୁ ଆସିଥିଲେ ବି ଉପରକୁ ଉଠି ପାରିନଥିଲା। ଫଳରେ ପୁଣି ନଦୀ ଭିତରକୁ ଫେରି ଯାଇଥିଲା ଦନ୍ତା। ଦୀର୍ଘ ୭ ଘଣ୍ଟା ଧରି ନଦୀ ଭିତରେ ଫସି ରହିଥିବା ଦନ୍ତା ଧିରେ ଧିରେ ପାଣି ସୁଅକୁ କାଟି କୂଳକୁ ଆସିବାରେ ସକ୍ଷମ ହୋଇଥିଲା। ତେବେ କୂଳରୁ ହାତୀଟିକୁ ବାହାର କରିବା ଲାଗି ବନ ବିଭାଗ କର୍ମଚାରୀ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି।