ହ୍ବାଟ୍ସଆପ୍ କାର୍ୟ୍ୟାନୁଷ୍ଠାନ, ୪୬ ଦିନରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ ଅଚଳ
ହ୍ବାଟ୍ସଆପ୍ କାର୍ୟ୍ୟାନୁଷ୍ଠାନ, ୪୬ ଦିନରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟ ଅଚଳ
ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ୪୬ ଦିନ ମଧ୍ୟରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି । ଜୁନ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ କମ୍ପାନି ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି । କମ୍ପାନି ଉପରୋକ୍ତ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ୩୦ ଲକ୍ଷ ୨୭ ହଜାର ଆକାଉଣ୍ଟକୁ ରଦ୍ଦ କରିଛି । ଉକ୍ତ ଅବଧିରେ କମ୍ପାନି ୫୯୪ଟି ଅଭିଯୋଗ ପାଇଛି ବୋଲି କହିଛି । ସ୍ୱୟଂକ୍ରିୟ ମେସେଜର ଅଣସ୍ୱୀକୃତ ବ୍ୟବହାର ସମେତ ଅନ୍ୟାନ୍ୟ ଅଭିଯୋଗରେ କମ୍ପାନି ଉକ୍ତ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଛି । ୫୯୪ଟି ଅଭିଯୋଗ ମଧ୍ୟରୁ ୭୪ଟି ଆକାଉଣ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । କାର୍ୟ୍ୟାନୁଷ୍ଠାନ ଅର୍ଥ ନିଷିଦ୍ଧ କରାଯାଇଛି କିମ୍ବା ପୁନଃକାର୍ୟ୍ୟକ୍ଷମ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ଫେସବୁକ, ହ୍ୱାଟସଆପ, ଟ୍ୱିଟର ଭଳି ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସକୁ ମାସ ନିୟମ କାର୍ୟ୍ୟକାରୀ ରିପୋର୍ଟ ପ୍ରକାଶ କରାଯିବାକୁ କୁହାଯାଇଛି । ତେଣୁ ଏହି ନିୟମ ଅନୁଯାୟୀ ଆମେ ଜୁନ ୧୬ରୁ ଜୁଲାଇ ୩୧ ତାରିଖ ପର୍ୟ୍ୟନ୍ତ ୪୬ ଦିନର ରିପୋର୍ଟ ପ୍ରକାଶ କରିଛୁ ବୋଲି ହ୍ୱାଟସଆପର ପ୍ରବକ୍ତା କହିଛନ୍ତି । ନୂଆ ଆଇଟି ନିୟମ ମେ ମାସ ୨୬ ତାରିଖରୁ କାର୍ୟ୍ୟକାରୀ ହୋଇଛି । କେତେ ଅଭିଯୋଗ ଆସିଛି ଏବଂ କେତୋଟି ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେବାର ପ୍ରାବଧାନ ଏଥିରେ ରହିଛି ।




admin 