୨୪ ଘଂଟାରେ ଭୟଙ୍କର ରୂପ ନେବ ଫୋନି
୨୪ ଘଂଟାରେ ଭୟଙ୍କର ରୂପ ନେବ ଫୋନି
admin
Apr 30, 2019 - 06:36
Updated: Apr 30, 2019 - 06:36
ଭୁବନେଶ୍ୱର : ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ଏହାର ଆଖପାଖ ଅଂଚଳରେ ସୃଷ୍ଟ ସାମୁଦ୍ରିକ ଝଡ ‘ଫୋନି’ ଆସନ୍ତା ୨୪ ଘଂଟା ମଧ୍ୟରେ ଅତି ଭୟଙ୍କର ରୂପ ନେଇପାରେ । ମେ ୧ ସଂଧ୍ୟା ସୁଦ୍ଧା ଏହା ଉତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ କ୍ରମେ ଉତର-ଉତରପୂର୍ବ ଦିଗରେ ଗତି କରିବ । ଫୋନି ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ପ୍ରାୟ ୪ କିଲୋମିଟର ବେଗରେ ଗତିକରି ସୋମବାର ସକାଳ ୮.୩୦ ସୁଦ୍ଧା ୮.୭ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୮୬.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଣକୋମାଲିର ୬୨୦ କିଲୋମିଟର ପୂର୍ବ, ଚେନ୍ନାଇର ୮୭୦ କିଲୋମିଟର ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପଦେଶର ମଚ୍ଛଲିପଟନମର ୧୦୪୦ କିଲୋମିଟର ଦକ୍ଷିଣପୂର୍ବ ଦୂରତାରେ କେନ୍ଦ୍ରିଭୂତ ହୋଇଛି ।
ଏହାର ପ୍ରଭାବରେ ମେ ୨ରୁ ଓଡିଶାର ଦକ୍ଷିଣ ଉପକୂଳ ଓ ଆନ୍ଧ୍ରର ଉତର ଉପକୂଳର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମେ ୩ରୁ ଉପକୂଳ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଉତର ଉପକୂଳର କେତେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବାର ସମ୍ଭାବନା ରହିଛି । ମେ ୩ରୁ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାମାନଙ୍କ ମଧ୍ୟରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୯ରୁ ୩୦ ତାରିଖ ମଧ୍ୟରେ କେରଳର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଏବଂ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇ ଦିନ ତାମିଲନାଡୁର ଉତର ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ଝଡର ପ୍ରଭାବରେ ମେ ୨ରେ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମେ ୩ ବେଳକୁ ପବନର ବେଗ ବୃଦ୍ଧି ପାଇ ୭୦ କିମିରେ ପହଂଚିବ ।
ମେ ୧ରୁ ୩ ମଧ୍ୟରେ ଓଡ଼ିଶା, ତାମିଲନାଡୁ, ଦକ୍ଷିଣ ଓ ଉତର ଆନ୍ଧ୍ରପ୍ରଦେଶ ଓ ପୁଡୁଚେରିର ବଙ୍ଗୋପସାଗରୀୟ ସାମୁଦ୍ରିକ ଉପକୂଳ ଅଶାନ୍ତ ରହିବ । ତେଣୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ମାଛ ଧରିବା ପାଇଁ ଗଭୀର ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର କୂଳକୁ ଫେରିଆସିବା ପାଇଁ ମଧ୍ୟ ସତର୍କ କରାଯାଇଛି ।