୨୦୦ କୋଟି ଟଙ୍କା ଠକେଇ ମାମଲା, ନୋରା ଫତେହିଙ୍କୁ ଜେରା
୨୦୦ କୋଟି ଟଙ୍କା ଠକେଇ ମାମଲା, ନୋରା ଫତେହିଙ୍କୁ ଜେରା
ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା । ଗୁରୁବାର ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ନୋରାଙ୍କୁ ୫ ଘଣ୍ଟା ଧରି ପଚରାଉଚାର କରିଛି । ତାଙ୍କୁ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ପୋଲିସ ଜେରା କରିଛି । ଏହାପୂର୍ବରୁ ଗତ ୩ ତାରିଖରେ ନୋରାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିଥିଲା । ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ସେ BMW କାର୍ ଉପହାର ପାଇଥିବା ନେଇ ଅଭିଯୋଗ ରହିଛି ।
ଗୁରୁବାର ଦିଲ୍ଲୀ ପୋଲିସ ନୋରା ଫତେହିଙ୍କ ସମେତ ତାଙ୍କ ଭିଣୋଇ ବବି ଖାନ ଏବଂ ସୁକେଶର ସହଯୋଗୀ ପିଙ୍କି ଇରାନୀଙ୍କୁ ଏକାଠି ଜେରା କରିଛି । ପିଙ୍କି ସୁକେଶଙ୍କ ଗିଫ୍ଟ ଅଭିନେତ୍ରୀଙ୍କ ପାଖରେ ପହଞ୍ଚାଉ ଥିଲେ । ୨୦୨୦ରେ ଏକ ଇଭେଣ୍ଟରେ ନୋରାଙ୍କୁ ସୁକେଶ BMW କାର୍ ଉପହାର ଦେଇଥିଲେ । କିନ୍ତୁ ନୋରା ଉପହାର ନେବାକୁ ମନା କରାଦେବାରୁ ଏହାକୁ ସେ ନିଜ ଭିଣୋଇ ବବିଙ୍କୁ ଦେବାକୁ କୁହାଯାଇଥିବା ନୋରା କହିଛନ୍ତି । ତେବେ ସେ ଷଡଯନ୍ତ୍ରକାରୀ ନୁହଁନ୍ତି ବରଂ, ନିଜେ ଷଡଯନ୍ତ୍ରର ଶିକାର ହୋଇଥିଲେ ବୋଲି ନୋରା ଜେରା ସମୟରେ କହିଥିବାର ସୂଚନା ମିଳିଛି । ସେହିପରି ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ ମାମଲାରେ ଇଓଡବ୍ଲ୍ୟୁ ବୁଧବାର ଦିନ ବଲିଉଡ ଡିଭା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଥିଲା । ଦୀର୍ଘ ୮ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲା ।
ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଗିରଫ ହୋଇ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି ।




admin 