ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ

ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର: ଭୀଷଣ ତାତି । ଗରମରେ ସିଝିସିଝି ଦହଗଞ୍ଜ ଜନଜୀବନ । ପାଣିପାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ । ପରେ ଦିନକ ପାଇଁ ସାମୟିକ ଆଶ୍ୱସ୍ତି ମିଳିପାରେ । ତା’ପରେ ପୁଣି କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ମଙ୍ଗଳବାର ନିଆଁ ବର୍ଷିଥିଲା ସାରା  ଓଡ଼ିଶାରେ । ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଥିଲା । ସେଥିରୁ ୮ଟି ସହରରେ ପାରଦ ୪୨ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ସହ ଉପକୂଳ ଓଡ଼ିଶା ବି ଜଳିଥିଲା ଗ୍ରୀଷ୍ମ କୋପରେ । 
ବରଗଡ଼, ହୀରାକୁଦ, ବାରିପଦାରେ ତାତି ୪୨ ଟପିଥିବାବେଳେ କଟକ ସମେତ ୮ଟି ଜାଗାରେ ପାରଦ ୪୧ ଡିଗ୍ରୀ ଉପରେ ଥିଲା । ତାତିରୁ ଏବେ ବିଶେଷ ତ୍ରାହି ସମ୍ଭାବନା ନାହିଁ ।

ଆସନ୍ତା ୨୮ ତାରିଖ ଯାଏଁ ଏଭଳି ଗରମ ସ୍ଥିତି ଲାଗି ରହିବ । ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ହେବନି । ଅଳ୍ପ କିଛି ଅଞ୍ଚଳରେ ବର୍ଷା ହେଲେ ମଧ୍ୟ ତାତିରୁ ବିଶେଷ ଆଶ୍ୱସ୍ତି ମିଳିବନି । ୨୯ ତାରିଖରେ ପାଗ ବଦଳିବା ସହ କିଛି ଆଶ୍ୱସ୍ତି ମିଳିପାରେ । ବର୍ଷା ବି ହୋଇପାରେ । ମାତ୍ର ୩୦ରେ ପୁଣି ତାତି ବଢ଼ିପାରେ । ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତା ୩ ଦିନ ତାତି ପ୍ରକୋପ ଜାରି ରହିବ । ତା’ପରେ ତାତି କମିପାରେ । ବୁଧବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, କଟକ, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନୟାଗଡ଼, କନ୍ଧମାଳରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ପବନ, ବର୍ଷା ସମ୍ଭାବନା ଅଛି ।