ଦିନ ସାଢେ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ରେକର୍ଡ

ଦିନ ସାଢେ ୧୧ଟା ସୁଦ୍ଧା ୩୮.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। କଲବଲ କରୁଛି ଗୁଳୁଗୁଳି ସାଙ୍ଗକୁ ତାତି। ନା ଘରୁ ବାହାରି ହଉଛି ନା ଘରେ ରହି ହେଉଛି। ସେପଟେ ଦିନ ସାଢେ ୧୧ଟା ସୁଦ୍ଧା ସମ୍ଵଲପୁରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ହୀରାକୁଦରେ ୩୯.୬ ଡିଗ୍ରୀ, ଚାନ୍ଦବାଲିରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୮.୨ ଡିଗ୍ରୀ, ବାଲେଶ୍ଵରରେ ୩୫.୪ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ଓ ପାରାଦୀପରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି। ଭୀଷଣ ତାତି । ଗରମରେ ସିଝିସିଝି ଦହଗଞ୍ଜ ଜନଜୀବନ ।

ପାଣିପାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ୫ ଦିନ ଜାରି ରହିବ । ପରେ ଦିନକ ପାଇଁ ସାମୟିକ ଆଶ୍ୱସ୍ତି ମିଳିପାରେ । ତା’ପରେ ପୁଣି କଲବଲ କରିବ ଗ୍ରୀଷ୍ମ ଜ୍ୱାଳା । ମଙ୍ଗଳବାର ନିଆଁ ବର୍ଷିଥିଲା ସାରା  ଓଡ଼ିଶାରେ । ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଥିଲା । ସେଥିରୁ ୮ଟି ସହରରେ ପାରଦ ୪୨ ଡିଗ୍ରୀ ଉପରେ ଥିଲା । ପଶ୍ଚିମ ସହ ଉପକୂଳ ଓଡ଼ିଶା ବି ଜଳିଥିଲା ଗ୍ରୀଷ୍ମ କୋପରେ । ବରଗଡ଼, ହୀରାକୁଦ, ବାରିପଦାରେ ତାତି ୪୨ ଟପିଥିବାବେଳେ କଟକ ସମେତ ୮ଟି ଜାଗାରେ ପାରଦ ୪୧ ଡିଗ୍ରୀ ଉପରେ ଥିଲା । ତାତିରୁ ଏବେ ବିଶେଷ ତ୍ରାହି ସମ୍ଭାବନା ନାହିଁ । ଆସନ୍ତା ୨୮ ତାରିଖ ଯାଏଁ ଏଭଳି ଗରମ ସ୍ଥିତି ଲାଗି ରହିବ । ବର୍ତ୍ତମାନ ବଡ଼ ବର୍ଷା ସମ୍ଭାବନା ନାହିଁ । ବିସ୍ତୃତ ଅଞ୍ଚଳରେ କାଳବୈଶାଖୀ ହେବନି ।