ରାଜ୍ୟ ସରକାର ସବୁ ଜିଲ୍ଲାରେ ଖୋଲିବେ କାଳିଆ ସେଣ୍ଟର

ରାଜ୍ୟ ସରକାର ସବୁ ଜିଲ୍ଲାରେ ଖୋଲିବେ କାଳିଆ ସେଣ୍ଟର

ଭୁବନେଶ୍ୱର:  ନିଜର ମହାତ୍ୱାକାଂକ୍ଷୀ ଯୋଜନା ‘କାଳିଆ’ ର ଅଧିକ ସୁବିଧା ଚାଷୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟାଳୟରେ ‘କାଳିଆ ସେଂଟର’ ସ୍ଥାପନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଛାତତଳେ ଏହା ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମେତ କୃଷି କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ ଦିଗରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ ଷ୍ଟପ ସେଂଟର ଭାବେ କାର୍ୟ୍ୟ କରିବ ।

ଏହି କେନ୍ଦ୍ର ମାଧ୍ୟମରେ ‘କାଳିଆ’ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ‘ଗୋ-ସୁଗମ’, ସଫଲ, କୃଷକ ଓଡ଼ିଶା ଆଦିର କାର୍ୟ୍ୟକାରିତା ଦିଗରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । କାଳିଆ ସେଂଟର ପ୍ରତ୍ୟେକ ସରକାରୀ କାର୍ୟ୍ୟଦିବସରେ ସକାଳ ୧୦ଟାରୁ ସାଢ଼େ ୫ଟା ପର୍ୟ୍ୟନ୍ତ ଖୋଲା ରହିବ । ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପ୍ରତି କେନ୍ଦ୍ରରେ ଆବଶ୍ୟକ ମୁତାବକ ବୈଷୟିକ ଦକ୍ଷତାସମ୍ପନ୍ନ କର୍ମଚାରୀ ନିୟୋଜିତ ହେବେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ୟ୍ୟର ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ ।

ଏହି କାଳିଆ ସେଂଟରକୁ ଆସୁଥିବା ଚାଷୀମାନଙ୍କ ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଓ ପରାମର୍ଶକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ । ‘କାଳିଆ ସେଂଟର’ ଚାଷୀଙ୍କ ନିମନ୍ତେ ସବୁ କୃଷିଭିତ୍ତିକ ଯୋଜନା ପାଇଁ କାର୍ୟ୍ୟ କରିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟର ଏକ ପ୍ରମୁଖ ସ୍ଥାନରେ କାଳିଆ ସେଂଟର ଖୋଲିବା ପାଇଁ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୃଷି ସଚିବ ଡଃ ଅରବିନ୍ଦ ପାଢ଼ୀ ଚିଠି ଲେଖି ଅନୁରୋଧ କରିଛନ୍ତି ।