ଶେଯରେ ଶୋଇଛି ନାଗୁଣୀ

ଶେଯରେ ଶୋଇଛି ନାଗୁଣୀ

ଡେଲାଙ୍ଗ : ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଖଣ୍ଡି-ଡେଲାଙ୍ଗ ଗ୍ରାମର ଯଦୁମଣି ମହାନ୍ତି ଗତ କାଲି ରାତି ପ୍ରାୟ ସାଢେ ୧୧ ଟା ବେଳେ ତଳେ ବସି ଖାଉଥିବା ବେଳେ, ଖଟ ଉପରେ ଅଧା ଟଙ୍ଗା ହୋଇଥିବା ମଶାରୀ ଭିତରେ କିଛି ଗୋଟେ ଖସ ଖସ ହେବା ଶବ୍ଦ ଶୁଣିବାକୁ ପାଇଲେ । ଶବ୍ଦ କେଉଁଠୁ ଆସୁଛି ଦେଖିବା ବେଳ କୁ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା । ମଶାରୀ ଭିତରେ ଏକ ବଡ ନାଗ ସାପ ପଶି ବାହାରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ବାହାରି ପାରୁ ନାହିଁ, ଖାଲି ଏପଟ ସେପଟ ହେଉଛି । ଆଉ ଖାଇବେ କଣ, ଅଧା ଖାଇବାରୁ ଉଠି ସ୍ନେକ ହେଲ୍ପ ଲାଇନ କୁ ଫୋନ କଲେ । 

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ରାତି ୧୨ ଟା ବାଜିଲାଣି । ମଶାରୀ ଭିତରେ ନାଗ ସାପ କୁ ଦେଖିବା ପାଇଁ ଯଦୁମଣିଙ୍କ ଘରେ ସେତେବେଳକୁ ପଡିଶା ଘର ଲୋକ ମାନେ ମଧ୍ୟ ଭିଡ ଜମେଇ ସାରିଲେଣି । ସତର୍କତାର ସହିତ ମଶାରୀ ଭିତରୁ ୪ ଫୁଟ ଲମ୍ବର ନାଗୁଣୀ କୁ ବାହାର କରି ବ୍ୟାଗ ରେ ଭର୍ତ୍ତି କରିଦେଲେ ସୁଶାନ୍ତ । ଏନେଇ ସୁଶାନ୍ତ କୁହନ୍ତି “ସାପ ଟି ଅନେକ ସମୟ ଧରି ମଶାରୀ ଭିତରୁ ବାହାରିବା ପାଇଁ ଚେଷ୍ଟା କରିଛି । ଯାହା ଫଳରେ ମଶାରୀ ଜାଲି ରେ ଘଷି ହୋଇ ତାର ମୁହଁ ମଧ୍ୟ ଖଣ୍ଡିଆ ହୋଇଥିଲା” । 

 ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ଟି ସମ୍ଭବତଃ ଏକ ମୂଷା ପଛର ପିଛା କରୁଥିବା ବେଳେ ମଶାରୀ ଭିତରେ ପଶି ଯାଇଛି, ଏବଂ ଆଉ ବାହାରି ପାରି ନାହିଁ । ସୌଭାଗ୍ୟ ବଶତଃ ଯଦୁମଣି ସାପ ଟିର ଉପସ୍ଥିତି ଜାଣି ପାରିଲେ, ତେଣୁ ଏକ ସମ୍ଭାବ୍ୟ ଦୁର୍ଘଟଣା କୁ ଦୂରେଇ ଦିଆଯାଇ ପାରିଲା ” । ସାପଟିକୁ ଗାଁ ବାହାରେ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ତେବେ, ରାତିରେ ଶୋଇବା ବେଳେ ଶେଯ ବିଛେଇବା ବେଳେ କିମ୍ବା ମଶାରୀ ଟାଣିବା ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ।