ଦେଶରେ କମିଲା ସଂକ୍ରମଣ, ଜାଣନ୍ତୁ ସକ୍ରିୟ ସଂଖ୍ୟା
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୬,୦୦୦ ତଳକୁ ଖସି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ ତଳକୁ ଖସି ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୮୭୪ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୫,୮୭୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟିରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୫ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୫୩୩କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୩,୬୪,୮୪୧। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୧% ରହିଛି। ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୩.୩୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୪.୨୫% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୦୧୫କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୧୧%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୬୬,୨୬୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୭୭,୨୮୧ଟି ନମୁନା।




admin 