ମହିଳା ବେଶରେ ଚମ୍ପଟ ମାରିଲା କଏଦୀ

ମହିଳା ବେଶରେ ଚମ୍ପଟ ମାରିଲା କଏଦୀ

କଟକ : ପୁଲିସ ଆଖିରେ ଧୂଳି ଦେଇ ମହିଳା ବେଶରେ ମେଡ଼ିକାଲରୁ ଛୁ ମାରିଲା ବିଚାରାଧୀନ ବନ୍ଦୀ। ଏପରି ଘଟଣା ଘଟିଛି କଟକ ବଡ଼ ମେଡିକାଲରେ।ବିଚାରାଧୀନ ବନ୍ଦୀ ଜଣକ ହେଲେ ସାଜନ ଦାସ। ସାଜନର ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।
ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସାଜନକୁ ଆଳି ପିଙ୍ଗଳ ଉପକାରଗାରରେ ରଖାଯାଇଥିଲା। ତାର ଦେହ ସବୁବେଳେ ଅସୁସ୍ଥ ହେବାରୁ ତାକୁ କିଛି ଦିନ ହେବ ଚୌଦ୍ୱାର ଜେଲରେ ରଖାଯାଇଥିଲା।

ଗତ ୨୯ ତାରିଖରୁ ସାଜନକୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ୩ଜଣ ପୁଲିସ କର୍ମଚାରୀମାନେ ମେଡିକାଲରେ ସାଜନକୁ ଜଗି ରହିଥିଲେ। ଗତକାଲି ପୁଲିସକୁ ଶୌଚ ହେବା ପାଇଁ ଯିବାକୁ କହିଥିଲା ସାଜନ। ପରେ ସେ ଆଉ ଫେରି ନଥିଲା। ସାଜନ ବାଥରୁମ୍‌ରୁ ଫେରିବା ବିଳମ୍ବ ହେବାରୁ ପୁଲିସ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ହେଲେ ସାଜନକୁ ପାଇନଥିଲେ। ପରେ ମେଡିକାଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ପୁଲିସ। ସାଜନ ଶାଢ଼ି ପିନ୍ଧି ଖସିଯାଇଥିବା ଜଣାପଡ଼ିଥିଲା।