ନଜର ହଟିଲା, ଦୁର୍ଘଟଣା ଘଟିଲା : ଏସ୍ଟିଏ
ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ପାଇଁ ମିନିଟିଏ କି ୧୦ ସେକେଣ୍ଡ ନୁହେଁ । ମାତ୍ର ୦.୧ ସେକେଣ୍ଡ ହିଁ ଯଥେଷ୍ଟ । ରାସ୍ତାରେ ଗାଡି଼ ଚଳାଇବା ବେଳେ ସତର୍କ ରୁହନ୍ତୁ । ପ୍ରତିଟି କ୍ଷଣ ଗୁରୁତ୍ୱପୂର୍ଣ୍ଣ । ସାମାନ୍ୟ ନଜର ହଟିଲେ, ଦୁର୍ଘଟଣା ଘଟିପାରେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଏ ନେଇ ଏକ ସଚେତନତାମୂଳକ ଟ୍ୱିଟ୍ କରିଛି ।
ସେଥିରେ ୨୦୨୩ ଆଇପିଏଲ୍ ଫାଇନାଲ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଷ୍ଟମ୍ପିଂ ଭିଡିଓ ସେୟାର କରାଯାଇଛି । ଟ୍ୱିଟ୍ର ଶିରୋନାମା ରଖାଯାଇଛି, “ନଜର ହଟିଲା, ଦୁର୍ଘଟଣା ଘଟିଲା ।’ ଏସ୍ଟିଏ ସେୟାର କରିଥିବା ଭିଡିଓରେ ଦର୍ଶାଯାଇଛି, ସୋମବାର ଆଇପିଏଲ ଫାଇନାଲ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ରବୀନ୍ଦ୍ର ଜାଡେଜା ବୋଲିଂ କରୁଥିଲେ । ତାଙ୍କ ଏକ ବଲ୍କୁ ଛକା ମାରିବା ପାଇଁ ଗୁଜରାଟ ଟାଇଟାନ୍ସର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ କ୍ରିଜ୍ ବାହାରକୁ ପଳାଇଥିଲେ ।
କିନ୍ତୁ ବଲ୍ଟି ଗିଲ୍ଙ୍କୁ ଚକ୍ମା ଦେଇ ୱିକେଟ୍ କିପର ତଥା ସିଏସ୍କେ ଅଧିନାୟକ ଧୋନୀଙ୍କ ହାତକୁ ଯାଇଥିଲା । ଧୋନୀ ୦.୧ ସେକେଣ୍ଟରେ ଷ୍ଟମ୍ପିଂ କରି ଗିଲ୍ଙ୍କୁ ପ୍ୟାଭିଲିଅନ୍କୁ ପଠାଇଥିଲେ । ଆଇପିଏଲ୍ର ଏହି ଆଉଟ୍ ସହ ତୁଳନା କରି ଏସ୍ଟିଏ ଚେତାଇଛି ଯେ ବଲ୍ରୁ ୦.୧ ସେକେଣ୍ଡରେ ଗିଲଙ୍କ ନଜର ହଟିବାରୁ ସେ ଆଉଟ୍ ହୋଇଗଲେ । ସେହିପରି ଗାଡି଼ ଚାଳନାରୁ ସାମାନ୍ୟତମ ନଜର ହଟିଲେ, ଦୁର୍ଘଟଣା କେତେବେଳେ ବି ଘଟିପାରେ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି ।




admin 