ଆଖି ଝଲସେଇବ ଲାଲକିଲ୍ଲା

ଆଖି ଝଲସେଇବ ଲାଲକିଲ୍ଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆଡପ୍ଟ ଏ ‌ହେରିଟେଜ୍ ଯୋଜନାରେ ଲାଲକିଲ୍ଲାକୁ ସିମେଣ୍ଟ କମ୍ପାନି ଡାଲମିଆ ଭାରତ ଲିମିଟେଡ ‘ସ୍ମାରକୀ ମିତ୍ର’ ଭାବରେ ଗ୍ରହଣ କରି ୩ଟି କାର୍ଯ୍ୟକ୍ରମ ହାତକୁ ନେଇଛି। ସେଗୁଡ଼ିକ ହେଲା ଲାଲକିଲ୍ଲା ପରିଦର୍ଶକ କେନ୍ଦ୍ର, ମାତୃଭୂମି ପ୍ରୋଜେକ୍ସନ ମ୍ୟାପିଂ ଏବଂ ଜୟ ହିନ୍ଦ୍‌ ସାଉଣ୍ଡ ଆଣ୍ଡ ଲାଇଟ୍‍ ସୋ’। ପୁରାତନ ବ୍ରିଟିସ ସେନା ଛାଉଣୀରେ ଲାଲକିଲ୍ଲା ପରିଦର୍ଶକ କେନ୍ଦ୍ର ସ୍ଥାନିତ ହୋଇଛି।

ସୋମବାର ଛଡ଼ା‌ ଅନ୍ୟ ଦିନଗୁଡ଼ିକରେ ସକାଳ ୯ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଏହା ଖୋଲା ରହୁଛି। ମାତୃଭୂମି ପ୍ରୋଜେକ୍ସନ ମ୍ୟାପିଂ ଓ ଲେଜର ଜରିଆରେ ସନ୍ଧ୍ୟା ୭.୩୦ରୁ ୮ଟା ପର୍ଯ୍ୟନ୍ତ ଲାଲକିଲ୍ଲାର ସମ୍ମୁଖ ଭାଗ ଖାଲିସ୍ଥାନରେ ଭାରତର ୫୦୦୦ ବର୍ଷର ଯାତ୍ରାକୁ ପ୍ରଦର୍ଶନ କରାଯାଉଛି। ଲାଲକିଲ୍ଲାକୁ କେନ୍ଦ୍ରକରି ମୋଗଲ ଶାସନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଘଟିଥିବା ଘଟଣା ଗୁଡ଼ିକର ଲାଇଭ ପ୍ରଦର୍ଶନୀ ୬୦ ଜଣ କଳାକାରଙ୍କ ଦ୍ବାରା ଜୟ ହିନ୍ଦ୍‌- ସାଉଣ୍ଡ୍‌ ଆଣ୍ଡ ଲାଇଟ୍‌ ସୋ’ ଜରିଆରେ ପରିବେଷଣ କରାଯାଉଛି। ଏଥିପାଇଁ ଟିକଟ ମୂଲ୍ୟ ୧୫୦୦ ଟଙ୍କା ଏବଂ ୫୦୦ ଟଙ୍କା ରଖାଯାଇଛି। ସୋମବାର ଛଡ଼ା ଅନ୍ୟ ଦିନଗୁଡ଼ିକରେ ସନ୍ଧ୍ୟା ୭.୩୦ରୁ ରାତି ୮.୩୦ଟା ପର୍ଯ୍ୟନ୍ତ ହିନ୍ଦୀ ସୋ’ ଏବଂ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଇଂରାଜୀ ସୋ’ ହେଉଛି। ଲାଲକିଲ୍ଲାକୁ ବୁଲି ଆସୁଥିବା ଯାତ୍ରୀମାନେ ଏହାଦ୍ବାରା ଭାରତର ଇତିହାସ ଓ ଲାଲକିଲ୍ଲା ସଂପର୍କରେ ବିସ୍ତୃତ ସୂଚନା ପାଇପାରୁଛନ୍ତି।