କେରଳର ଭୈାତିକ୍ ଘର

କେରଳର ଭୈାତିକ୍ ଘର

କେରଳ : ଘରଟିଏ ସେତେବେଳେ ଜୀବନ୍ତ ଲାଗେ ଯେତେବେଳେ ପରିବାରରେ ସଦସ୍ୟମାନେ ଏକାଠି ସେହି ଘରେ ଥାଆନ୍ତି । ବିନା ପରିବାରରେ ଘରର ଅସ୍ତିତ୍ୱ ନାହିଁ । ଠିକ୍ ଏଭଳି ଘରର ସଂଖ୍ୟା କେରଳରେ ବଢି ଚାଲିଛି । ଘର ସଂପୂର୍ଣ୍ଣ ନିଶବ୍ଦ ଓ ନିଃସଙ୍ଗ । ଦିନ ଥିଲା ଏହି ଘରର ଅଗଣାରେ ପିଲାଙ୍କ ଖେଳକୁଦରେ ପୂରି ଉଠୁଥିଲା କିନ୍ତୁ ଏବେ ସେଠି ଅନାବନା ଗଛ ଉଠିଯାଇଛି । ଭଙ୍ଗା ଗେଟ୍ , କବାଟ, ଝରକାକୁ ମାଡ଼ି ବୁଢିଆଣୀ ଜାଲ ମାଡ଼ିଗଲାଣି । ଲୋକେ କୁହନ୍ତି ଦିନରେ ଏଭଳି ଘର ଭୀତିପ୍ରଦ ହୋଇଥିବା ବେଳେ ରାତିରେ ଯେମିତି ଭୂତପ୍ରେତଙ୍କ ଆଡ୍ଡାସ୍ଥଳ ପାଲଟିଯାଇଛି ।

କେରଳରେ ଏଭଳି ଘରର ସଂଖ୍ୟା ୧୧ ଲକ୍ଷ ୯୦ ହଜାର । ପୂର୍ବପୁୁରୁଷଙ୍କ ଭଙ୍ଗାରୁଜା ଘରରୁ ଆରମ୍ଭ କରି ଅଳ୍ପ କିଛି ବର୍ଷ ତଳେ ତିଆରି ହୋଇଥିବା ସୁଦୃଶ୍ୟ ବଙ୍ଗଳା -କେରଳରେ ପରିତ୍ୟକ୍ତ ଘର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଘର ଗୁଡ଼ିକର ମାଲିକମାନେ ଅଧିକାଂଶ ରହନ୍ତି ବିଦେଶରେ । ଏସବୁ ଘରକୁ ବିଦୁ୍ୟତ, ପାଣି ସଂଯୋଗ ଦିଆଯାଇଛି । ୨୦୧୧ ମସିହା ଜନଗଣନା ଅନୁସାରେ କେରଳରେ ମୋଟ ଏକ କୋଟି ଘର ମଧ୍ୟରୁ ୧୧ ପ୍ରତିଶତ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ସାରା ଦେଶେରେ ଥିବା ଘରର  ୭.୪୫ % ପରିତ୍ୟକ୍ତ କେରଳରେ । ଏଠାକାର ମୋଟ ଜନସଂଖ୍ୟାର ବଡ଼ ଭାଗ ରୁହନ୍ତି ବିଦେଶରେ ।

ବିଦେଶରେ ରହୁଥିବା ମଲାୟଲି ଲୋକମାନେ ନିଜ ବୃଦ୍ଧ ମାତାପିତାଙ୍କ ମୃତୁ୍ୟପରେ ଆଉ ନିଜ ଦେଶକୁ ଫେରୁନାହାନ୍ତି । ତେଣୁ ସେମାନଙ୍କ ପୈତୃକ ଘର  ଭୂତକୋଠିଭଳି ଲାଗୁଛି । ବିଦେଶରେ ରହୁଥିବା ମଲାୟଲି ମାନେ ଦିଜ ଆତ୍ମୀୟସ୍ୱଜନମାନଙ୍କ ପାଖକୁ ବିଶାଳ ଅଙ୍କର ଅର୍ଥ ପଠାଇଥାଆନ୍ତି । ଯେଉଁ ଟଙ୍କାରେ ବଡ଼ ବଡ଼ ଘର ତିଆରି ହୋଇଥାଏ । କିନ୍ତୁ କିଛି ବର୍ଷ ପରେ ସେହି ଘରେ ରହିବା ପାଇଁ କେହି ଲୋକ ନଥାନ୍ତି । ତେଣୁ ଘର ପୁରା ଫାଙ୍କା ହୋଇଯାଏ ।

ଅନେକ ପୁଣି ବିନିଯୋଗ ଉଦେ୍ଶ୍ୟରେ ଗୋଟିଏ ପରେ ଗୋଟିଏ ଘର ତିଆରି କରୁଛନ୍ତି । ବର୍ଷକରେ ଥରେ ଅଧେ ସେ ଘରେ ରୁହନ୍ତି କି ନାହିଁ । କିନ୍ତୁ ରିଏଲ ଇଷ୍ଟେଟରେ ସେମାନେ ବିନିଯୋଗ କରିଚାଲନ୍ତି । ଏହାଦ୍ୱାରା କେରଳ ସରକାରଙ୍କ ରାଜସ୍ୱ ବୃଦ୍ଧି ହୋଇଥାଏ । କିନ୍ତୁ ପରୋକ୍ଷରେ ପରିତ୍ୟକ୍ତ ଘରର ସଂଖ୍ୟା ବଢିଚାଲେ । ଆମଦେଶରେ ଲକ୍ଷ ଲକ୍ଷ ଲୋକମାନେ ମୂଣ୍ଡ ଗେଞ୍ଜିବା ପାଇଁ ଘର ଟିଏ ନଥିଲା ବେଳେ କେରଳରେ ବହୁ ବିଳାସବହୁଳ ଘର ଭୂତକୋଠି ପାଲଟୁଛି ।