ଗରମରୁ ମିଳିଛି ଆଶ୍ୱସ୍ତି
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଭୁବନେଶ୍ୱରରେ ଗତକାଲି ଟାଣ ଖରା ପୁଣି ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଥିଲା । ରାଜଧାନୀର ତାପମାତ୍ରା ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । କିନ୍ତୁ ଏହାର ବିପରୀତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସକାଳୁ ସକାଳୁ ଥଣ୍ଡା ପବନ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଯାହା ଫଳରେ କାଳବୈଶାଖିର ପ୍ରଭାବ ପରିଲକ୍ଷିତ ହେବା ସୂଚନା ମିଳିଛି ।
ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ। ସୋମବାର ଦିନ ରାଜ୍ୟର ୨୧ଟି ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। ବିଶେଷକରି, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ଧୀରେଧୀରେ କାଳବୈଶାଖୀର ପ୍ରଭାବ କମିବ। ୨ ତାରିଖ ଦିନ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତାପମାତ୍ରା ମଧ୍ୟ ଅଧିକ ବଢ଼ିବାର ସମ୍ଭାବନା ନାହିଁ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।




admin 