ଛାତିଥରା ଟ୍ରେନ୍‌ ଟ୍ରାଜେଡ଼ି; ଶୋକ ପ୍ରକାଶ କଲେ ଏହି ସବୁ ସେଲିବ୍ରିଟି

ଛାତିଥରା ଟ୍ରେନ୍‌ ଟ୍ରାଜେଡ଼ି; ଶୋକ ପ୍ରକାଶ କଲେ ଏହି ସବୁ ସେଲିବ୍ରିଟି

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁ, ଅକ୍ଷୟ କୁମାର, ପରିଣୀତି ଚୋପ୍ରା ଓ ପ୍ରଖ୍ୟାତ୍‌ କ୍ରିକେଟ ଖେଳାଳି ବିରାଟ କୋହଲି ଶୋକପ୍ରକାଶ କରିଛନ୍ତି।

ଟୁଇଟ୍‌ କରି ସଲ୍‌ମାନ୍‌ ଖାଁ ଲେଖିଛନ୍ତି: ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଈଶ୍ବର ଏହି ଦୁଃଖଦ ଦୁର୍ଘଟଣାରେ ମୃତବ୍ୟକ୍ତିମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ତାଙ୍କ ପରିବାରବର୍ଗଙ୍କୁ ରକ୍ଷା କରନ୍ତୁ ଓ ସାମର୍ଥ୍ୟ ଦିଅନ୍ତୁ ଏବଂ ଆହତମାନଙ୍କୁ ବି ରକ୍ଷା କରନ୍ତୁ।

ସେହିପରି, କ୍ରିକେଟ୍‌ ତାରକା ବିରାଟ କୋହଲି ଟୁଇଟ୍‌ କରି ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣା କଥା ଶୁଣି ଦୁଃଖିତ। ପ୍ରିୟ ପରିଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ଅଭିନେତ୍ରୀ ପରିଣୀତି ଚୋପ୍ରା ମଧ୍ୟ ଏହି ଏହି ଟ୍ରେନ୍‌ ଦୁର୍ଘଟଣାରେ ଶୋକବ୍ୟକ୍ତ କରି ‌ଟୁଇଟ୍‌ କରିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣାରେ ପ୍ରଭାବିତ ‌ହୋଇଥିବା ସମସ୍ତଙ୍କ ପାଇଁ ମୋର ପ୍ରାର୍ଥନା। ସେମାନଙ୍କ ପରିବାରବର୍ଗ, ବନ୍ଧୁବର୍ଗ ଓ ପ୍ରିୟଜନ ସାମର୍ଥ୍ୟ ପାଆନ୍ତୁ ଏବଂ ଆହତ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବ‌ୋଲି କାମନା କରୁଛି। ଈଶ୍ବର ସମସ୍ତଙ୍କର ମଙ୍ଗଳ କରନ୍ତୁ।

ଅଭିନେତା ଅକ୍ଷୟ କୁମାର ମଧ୍ୟ ଶୋକବ୍ୟକ୍ତ କରି ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଭୟାବହ ଟ୍ରେନ୍‌ ଦୁର୍ଘଟଣାର ଫଟୋ/ଭିଡିଓ ଦେଖି ମର୍ମାହତ। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁଃଖଦ ସମୟରେ ପ୍ରଭାବିତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।

ସଦ୍ୟତମ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ‘ଏନ୍‌ଡିଆର୍‌ଏଫ୍‌’ର ମହାନିର୍ଦେଶକ ଅତୁଲ କର୍‌ୱାଲ୍‌ କହିଛନ୍ତି। ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ୯ଟି ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌, ୫ଟି ‘ଓଡିଆର୍‌ଏଏଫ୍‌’ ଟିମ୍‌ ଏବଂ ୨୪ଟି ଅଗ୍ନିଶମ ସେବା ୟୁନିଟି, ସ୍ଥାନୀୟ ପୁଲିସ ଏବଂ ସ୍ବେଚ୍ଛାସେବୀମାନେ ତଲାସ ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।