ମିଳିତ ବିରୋଧୀ ଦଳର ନାମ INDIA ହୋଇପାରେ,ପିଡ଼ିଏ ନୁହେଁ

ମିଳିତ ବିରୋଧୀ ଦଳର ନାମ INDIA ହୋଇପାରେ,ପିଡ଼ିଏ ନୁହେଁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ସାମିଲ ହୋଇଥିବାବେଳେ ଏବେ ବୈଠକ ଚାଲିଛି | ତେବେ ମିଳିତ ବିରୋଧୀ ଦଳର ନାମ କଣ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ମିଳିତ ବିରୋଧୀ ଦଳର ନାମ ଇଣ୍ଡିଆ ହୋଇପାରେ। ଇଣ୍ଡିଆ ଅର୍ଥାତ INDIA ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ |

ବାସ୍ତବରେ ବୈଠକରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଦଳର ନାମ ପିଡ଼ିଏ ପାଇଁ ପରାମର୍ଶ ଦେଇଥିଲେ | କିନ୍ତୁ ଏହାକୁ ଖାରଜ କରିଦିଆଯାଇଥିଲା | କୁହାଯାଉଛି ଯେ ଆଉ ଏକ ଛୋଟ ଦଳ ସେଭ୍ ଇଣ୍ଡିଆ ଆଲାଇନ୍ସ କିମ୍ବା ସେକ୍ୟୁଲାର୍ ଇଣ୍ଡିଆ ଆଲାଇନ୍ସ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ଏହାକୁ ମଧ୍ୟ ଖାରଜ କରାଯାଇଥିଲା | ଉଲ୍ଲେଖ ଥାଉ କି ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ।

ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ତେବେ ସେଠାରେ ପିଡ଼ିଏ ନାମ ରଖାଯିବ ବୋଲି ଆଲୋଚନା ହୋଇଥିଲା । କିନ୍ତୁ ଏନେଇ କୋୖଣସି ଘୋଷଣା କରାଯାଇନଥିଲା |

ପୂର୍ବରୁ କଂଗ୍ରେସ ନେତୃତ୍ୱରେ ଥିବା ଦଳମାନଙ୍କୁ ୟୁପିଏ କୁହାଯାଉଥିଲା ଆଉ ନୂଆ ବିରୋଧୀଙ୍କ ବୈଠକରେ ଆପ୍‌ ଏବଂ ଟିଏମ୍‌ସି ସମେତ ଅନ୍ୟ ଅଣ ବିଜେପି ଦଳ ଗୁଡ଼ିକର ସାମିଲ ହେଉଥିବାରୁ ୟୁପିଏ (ୟୁନାଇଟେଡ୍‌ ପ୍ରୋଗ୍ରେସିଭ ଆଲିଆନ୍ସ)କୁ ବଦଳାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା | କଂଗ୍ରେସ ନେତୃତ୍ବାଧୀନ ୟୁପିଏ ପୂର୍ବରୁ ୨ ଥର ତଥା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କ୍ଷମତାରେ ଥିଲା। ସୋନିଆ ଏହାର ସଭାପତି ଅଛନ୍ତି।