କୁସ୍ତି ଖେଳାଳିଙ୍କ ପ୍ରତିବାଦ: ସମର୍ଥନ କରିବାକୁ ବିଗ୍ ବିଙ୍କୁ କଂଗ୍ରେସ ନେତାଙ୍କ ଅନୁରୋଧ
ନୂଆଦିଲ୍ଲୀ: ‘ଡବ୍ଲୁଏଫ୍ଆଇ’ର ଅଧ୍ୟକ୍ଷ ବ୍ରଜଭୂଷଣ ସିଂହଙ୍କ ନାଁରେ ଯୌନଉତ୍ପୀଡ଼ନ ଅଭିଯୋଗ କରି ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନ କରୁଥିବା କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ଜଣାଇବା ଲାଗି କଂଗ୍ରେସ ନେତା ସଲ୍ମାନ୍ ଅନୀସ୍ ସୋଜ୍ ଅଭିନେତା ଅମିତାଭ ବଚ୍ଚନଙ୍କୁ ଅନୁରୋଧ କରିଛନ୍ତି।
ଅମିତାଭ ଏବଂ ଅନ୍ୟ ସୁପର୍ଷ୍ଟାର୍ମାନଙ୍କ ସମର୍ଥନ ଲୋଡ଼ି ସାମାଜିକ ଗଣମାଧ୍ୟମରେ ସଲ୍ମାନ୍ ଲେଖିଛନ୍ତି: ପ୍ରିୟ ଅମିତାଭ ବଚ୍ଚନ, ମହିଳା କୁସ୍ତି ଚାମ୍ପିଅନ୍ ମାନେ ବିଚାର ଚାହୁଁଥିବା ପ୍ରସଙ୍ଗରେ ଆପଣ ଅବଗତ ଥିବେ। ସେମାନେ ଭାରତର ସବୁଠୁ ପ୍ରଭାବଶାଳୀ ମୁଖପାତ୍ରମାନଙ୍କର ସମର୍ଥନ ପାଇବାକୁ ଯୋଗ୍ୟ ଅଟନ୍ତି। ଆପଣଙ୍କ ନିରପେକ୍ଷତା ତାଙ୍କ ଦାବିକୁ ସୁଦୃଢ଼ କରିବାରେ ସହାୟକ ହୋଇପାରେ। ସେମାନେ ଆପଣଙ୍କର ଓ ଅନ୍ୟ ସୁପର୍ଷ୍ଟାର୍ମାନଙ୍କର ସମର୍ଥନ ପାଇବାକୁ ଯୋଗ୍ୟ। ଦୟାକରି ଆପଣ ସମର୍ଥନ ଜଣାନ୍ତୁ।
ଉଲ୍ଲେଖଯୋଗ୍ୟ, ‘ଡବ୍ଲୁଏଫ୍ଆଇ’ ମୁଖ୍ୟଙ୍କ ବିରୋଧରେ କୁସ୍ତି ଖେଳାଳିମାନଙ୍କର ଦ୍ବିତୀୟ ପର୍ଯ୍ୟାୟ ପ୍ରତିବାଦ ଶନିବାର ଦିନ ୭ମ ଦିବସରେ ପ୍ରବେଶ କରିଥିବା ବେଳେ, କେତେକ ବୁଦ୍ଧିଜୀବୀ ଏଥିପ୍ରତି କ୍ରୀଡ଼ା ବ୍ୟକ୍ତିତ୍ବ ଏବଂ କ୍ରୀଡ଼ାବିତ୍ମାନଙ୍କର ସମର୍ଥନର ଅଭାବ ଲକ୍ଷ୍ୟ କରିଛନ୍ତି। ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଜନ୍ତର ମନ୍ତର ଯାଇ ପ୍ରତିବାଦକାରୀ କୁସ୍ତି ଖେଳାଳିଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ସଦ୍ୟତମ ସୂଚନା ଅନୁସାରେ, ‘ଡବ୍ଲୁଏଫ୍ଆଇ’ ମୁଖ୍ୟଙ୍କ ବିରୋଧରେ ଅଭିଯୋଗ କରିଥିବା ୭ଜଣ ଅଭିଯୋଗକାରିଣୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦିଲ୍ଲୀ ପୁଲିସ ସୁରକ୍ଷା ଯୋଗାଇ ଦେଇଛି।




admin 