ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଲା ‘ଇସ୍କନ’
ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଲା ‘ଇସ୍କନ’
admin
Sep 10, 2019 - 04:56
Updated: Sep 10, 2019 - 04:56
ଭୁବନେଶ୍ବର: ଅଦିନରେ ଆଉ ରଥଯାତ୍ରା ଆୟୋଜିତ କରିବ ନାହିଁ ଇସ୍କନ। ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏବିଷୟରେ ସୂଚନା ଦିଆଯାଇଛି। ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଭୁବନେଶ୍ୱରରେ ଏନେଇ ଇସ୍କନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି।
ଲୁଧିଆନାରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ବିଜେପି ବିରୋଧ କରିଥିଲା। ଏପରିକି ବିଜେପି ଲ’ ଆଣ୍ଡ ଲିଗାଲ ଆଫେୟାର୍ସ ଡିପାର୍ଟମେଣ୍ଟ ପକ୍ଷରୁ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ବିଜେପି ଅଭିଯୋଗ କରିଥିଲା। ଏଥିସହିତ ଇସ୍କନର ଅଦିନିଆ ରଥଯାତ୍ରାକୁ ବିରୋଧ କରି ଗତକାଲି ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ଶ୍ରୀଜଗନ୍ନାଥ ସେନା ଓ ପୁରୀ ସଚେତନ ନାଗରିକ ମଞ୍ଚ।