ଆଜି ରାତି ୮ ଟା ୨୦ ରୁ ପାକତ୍ୟାଗ, ବୁଧବାର ରାତିତମାମ ଉଜାଗର ରହିବେ ମହାପ୍ରଭୁ

ଆଜି ରାତି ୮ ଟା ୨୦ ରୁ ପାକତ୍ୟାଗ, ବୁଧବାର ରାତିତମାମ ଉଜାଗର ରହିବେ ମହାପ୍ରଭୁ

ଆଜି ରାତି ୮ ଟା ୨୦ ରୁ ପାକତ୍ୟାଗ, ବୁଧବାର ରାତିତମାମ ଉଜାଗର ରହିବେ ମହାପ୍ରଭୁ
ପୁରୀ - ଆସନ୍ତାକାଲି ପୌଷ ଅମାବାସ୍ୟାରେ ହେବ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯେ୍ୟାପରାଗ । ଆସନ୍ତାକାଲି ସକାଳ ୮ ଘଣ୍ଟା ୨୦ ମିନିଟ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୯ ମିନିଟ ପର୍ଯ୍ୟନ୍ତ ରହିବ । ସକାଳ ୯ ଟା ୪୬ ମିନିଟ ୭ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ପୂର୍ବାହ୍ନ ୧୧ ଟା ୨୯ ମିନିଟ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବେ । ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ବୁଧବାର ରାତି ୮ ଟା ୨୦ ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ । ବୃଦ୍ଧ, ଶିଶୁ, ରୋଗୀମାନଙ୍କ ପକ୍ଷେ ଏହି ନିୟମ ଲଂଘନୀୟ । ସର୍ବମୋକ୍ଷ ପରେ ଦେବନୀତି, ପାକ ଓ ଅନ୍ନଭୋଜନ କରାଯାଇପାରିବ । ଏହି ପରାଗ ଦର୍ଶନ ମେଷ, ବୃଷ, ମିଥୁନ, ଧନୁ, ମକର, ମୀନ ଏହି ୬ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ । ସେହିପରି କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ପରାଗ ଦର୍ଶନ ଶୁଭ ବୋଲି କହିଛନ୍ତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ । ଅନ୍ୟ ପକ୍ଷରେ ସୂର୍ଯେ୍ୟାପରାଗ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯେ୍ୟାପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହିଁ । ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ । ଯେହେତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଧନ, ତେଣୁ ତାଙ୍କର ଗ୍ରହଣ କିମ୍ବା ପରାମ ସ୍ପର୍ଶ ପରେ ଦେବନୀତି ଆରମ୍ଭ ହୋଇଥାଏ । ଏହିଦିନ ମହାସ୍ନାନ ଓ ଖଇକୋରା ଭୋଗ ସହ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ତେବେ ସୂର୍ଯେ୍ୟାପରାଗ ପରିପ୍ରେକ୍ଷୀରେ ବୁଧବାର ରାତିରେ ଶ୍ରୀମନ୍ଦିର ପହୁଡ଼ ପଡ଼ିବ ନାହିଁ । ଅର୍ଥାତ ରାତିତମାମ ଉଜାଗର ରହିବେ ମହାପ୍ରଭୁ । ଶ୍ରଦ୍ଧାଳୁମାନେ ବି ଦାରୁ ବିଗ୍ରହଙ୍କୁ ଦର୍ଶନ କରିପାରିବେ । ୨୬ ତାରିଖ ସକାଳେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କ ପରାଗ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଚା, ପରାଗ ସାଦା ବେଶ ପରେ ପରାଗ ଭୋଗ, ମଇଲମ ବେଶ, ଗୋପାଳ ବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ । ଏହା ପରେ ଗୁରୁବାର ମାଜଣା ଓ ଏକାନ୍ତ ଆଦି ଅନ୍ୟାନ୍ୟ ନୀତି କରାଯିବା ଲାଗି ନିର୍ଘଣ୍ଟ ହୋଇଛି ।