ଆସନ୍ତା ୩୧ ତାରିଖ ବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ
ଆସନ୍ତା ୩୧ ତାରିଖ ବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ
admin
May 28, 2021 - 12:00
Updated: May 28, 2021 - 12:00
ଭୁବନେଶ୍ୱର: ୟାସ ବାତ୍ୟା ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହକୁ ବିଗାଡ଼ିବ ନାହିଁ । ବରଂ ମୌସୁମୀ ପ୍ରବାହ ପାଇଁ ଏହା ଅନୁକୂଳ ପଥ ପ୍ରସ୍ତୁତ କରିଛି । ଅନୁମାନ କରାଯାଇଛି, ଆସନ୍ତା ୩୧ ତାରିଖ ବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟ କିମ୍ବା ତା’ଠାରୁ ସାମାନ୍ୟ ଆଗୁଆ ଆସିପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ଦକ୍ଷିଣ-ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ମୌସୁମୀ ପ୍ରବେଶ କରିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ଯୋଗୁଁ ମୌସୁମୀ ପ୍ରବାହ ବାଧାପ୍ରାପ୍ତ ହେବ ନାହିଁ । ଆସନ୍ତା ୩୧ ସୁଦ୍ଧା କେରଳ ଉପକୂଳରେ ମୌସୁମୀ ପହଞ୍ଚିବା ନେଇ ପାଗ ଅନୁକୁଳ ରହିଛି । କେରଳ ଛୁଇଁବାର ୧୦-୧୧ ଦିନ ଭିତରେ ମୌସୁମୀ ଓଡ଼ିଶାକୁ ଆସିଥାଏ । ଏଥର ପାଗ ଅନୁକୂଳ ଥିବାରୁ ସ୍ୱାଭାବିକ ସମୟ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ । ଜୁନ ୧୧ କିମ୍ବା ତା ପୂର୍ବରୁ ମଧ୍ୟ ଆସିପାରେ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ମୌସୁମୀ ପ୍ରବାହ ଚଳଚଞ୍ଚଳ ହେଲାଣି । ୩୦/୩୧ ତାରିଖ ସୁଦ୍ଧା କେରଳ ପହଞ୍ଚିବା ମୌସୁମୀ । ପାଗ ଅନୁକୂଳ ରହୁଥିବାରୁ ଓଡ଼ିଶାକୁ ଜୁନ ୧୦ ତାରିଖ କିମ୍ବା ତା’ର ଦୁଇ ଦିନ ଆଗରୁ ଆସିପାରେ ମୌସୁମୀ ।