ଏସଆଇଟିକୁ ଐତିହାସିକ ସଫଳତା କହିଲେ ନରସିଂହ

ଏସଆଇଟିକୁ ଐତିହାସିକ ସଫଳତା କହିଲେ ନରସିଂହ

ଏସଆଇଟିକୁ ଐତିହାସିକ ସଫଳତା କହିଲେ ନରସିଂହ
ଭୁବନେଶ୍ୱର: ନୟାଗଡ଼ର ଚର୍ଚ୍ଚିତ ‘ପରୀ’ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ବିଜେପି କଂଗ୍ରେସର ନୀରବତାକୁ ନେଇ ପ୍ରଶ୍ନ ଉଠାଇ ଘେରିଛି । ଅପରପକ୍ଷରେ ପରୀ ପ୍ରସଙ୍ଗରେ କଂଗ୍ରେସ ଏବେ ଫାଳ ଫାଳ ହୋଇଯାଇଛି । ପ୍ରଥମେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପରେ ସୁର ରାଉତରାୟ କଂଗ୍ରେସ ବରିଷ୍ଠ ନେତାଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପରୀ ହତ୍ୟା ମାମଲା ନେଇ ଗଠିତ ଏସଆଇଟିକୁ ନେଇ ସୁର ସନ୍ତୁଷ୍ଟ ନଥିବା କହିଥିବାବେଳେ ନରସିଂହ ମିଶ୍ର କିନ୍ତୁ ଏସଆଇଟି ଗଠନକୁ ଐତିହାସିକ ସଫଳତା ବୋଲି କହିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା । ରାଜ୍ୟ ସରକାର ହାଇକୋର୍ଟଙ୍କ ପୂର୍ବରୁ କେବେ ଏସଆଇଟି ପାଇଁ ଲେଖିଥିଲେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଆମ ଦାବିରେ ତାହା ହେଲା । କଂଗ୍ରେସର ଏହା ଏକ ଐତିହାସିକ ସଫଳତା । କଂଗ୍ରେସ ବିଧାୟକଦଳ ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥିବା ଶ୍ରୀ ମିଶ୍ର କହିଛନ୍ତି । ପ୍ରକାଶ ଯେ, ପ୍ରଥମେ ପରୀ ପ୍ରସଙ୍ଗରେ ଗୃହରେ ଚୁପ ରହିବାର କାରଣ କହିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଚୁପ ରହିବାର କାରଣ କଂଗ୍ରେସ ବିଧାୟକ ଦଳ ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ ବୋଲି ଶ୍ରୀ ସାଲୁଜା କହିଥିଲେ । ସେ କହିଥିଲେ ଯେ, କଂଗ୍ରେସ ବିଧାୟକ ଦଳ ନେତା ଯାହା କହିବେ ଆମେ କହିବାକୁ ଓ କରିବାକୁ ବାଧ୍ୟ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ । ମୁଁ ତ ସନ୍ତୁଷ୍ଟ ନୁହେଁ, କିନ୍ତୁ ତାଙ୍କ ନିଷ୍ପତ୍ତି ଆମେ ମାନିବାକୁ ବାଧ୍ୟ । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପି ବିଧାନସଭା ଚଳାଇ ଦେଲାନି । ସରକାର ଡରିକି ମାସକ ଆଗରୁ ବିଧାନସଭା ବନ୍ଦ କରିଦେଲେ । ପରୀ ପ୍ରସଙ୍ଗରେ ବିଜେପି ମାଇଲେଜ ନେଇଛି । ଆଗକୁ ବି ନେବ ବୋଲି ସନ୍ତୋଷ ସିଂ ସାଲୁଜା କହିିଥିଲେ । ପରେ ବିସ୍ଫୋରକ ବୟାନ ଦେଇ ସୁର ରାଉତରାୟ କହିଥିଲେ ଯେ, ଆମେ ବିଧାନସଭାରେ ଜୋରଦାର ହଙ୍ଗାମା କରିଥିଲୁ । ଏହା ପରେ ମୁଖ୍ୟମନ୍ତ୍ରୀ ଏସଆଇଟି ଗଠନ ହେବା କଥା କହିଲେ । ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା । ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ପ୍ରତି ଜିଲ୍ଲାରେ ଆନେ୍ଦାଳନ କରିବାକୁ । ନରସିଂହ-ନିରଞ୍ଜନ କଥାହେଲେ, ଆମକୁ ଓହରିଯିବାକୁ କହିଲେ । କିନ୍ତୁ ଏସଆଇଟି ତଦନ୍ତରେ ମୁଁ ଖୁସି ନୁହେଁ ବୋଲି ସୁର ରାଉତରାୟ କହିଥିଲେ । ଅନ୍ୟପକ୍ଷରେ ଓହରିଯିବାରେ କିଛି ମ୍ୟାନେଜ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ‘ମ୍ୟାନେଜ ହୋଇଛି ବୋଲି ତ ଓହରିଲୁ’ ସୁର ରାଉତରାୟ କହିଥିଲେ ।