ଏସ୍‌ସିବିରେ ଆରମ୍ଭ ହେବ ପ୍ରିପେଡ୍‌ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି, ସରକାରୀ ଧାର୍ଯ୍ୟ ମୂଲ୍ୟରେ ମିଳିବ ଭଡ଼ା

ଏସ୍‌ସିବିରେ ଆରମ୍ଭ ହେବ ପ୍ରିପେଡ୍‌ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି, ସରକାରୀ ଧାର୍ଯ୍ୟ ମୂଲ୍ୟରେ ମିଳିବ ଭଡ଼ା

ଏସ୍‌ସିବିରେ ଆରମ୍ଭ ହେବ ପ୍ରିପେଡ୍‌ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି, ସରକାରୀ ଧାର୍ଯ୍ୟ ମୂଲ୍ୟରେ ମିଳିବ ଭଡ଼ା
ଏସ୍‌ସିବିରେ ଦିନକୁ ୩୦ରୁ ଅଧିକ ରୋଗୀଙ୍କ ଜୀବନ ଯାଉଛି। ହେଲେ ଘରକୁ ଶବ ନେବା ପାଇଁ ସଂପର୍କୀୟଙ୍କୁ ମିଳୁନି ଗାଡ଼ି। ସରକାରଙ୍କ ମହାପ୍ରୟାଣ ଗାଡ଼ି ମାତ୍ର ୩ଟି ଥିବାରୁ ଏହା ଲୋକଙ୍କୁ ମିଳି ପାରୁନି । ଫଳରେ ସମ୍ପର୍କୀୟମାନେ ବାଧ୍ୟହୋଇ ଅଧିକ ଟଙ୍କା ଦେଇ ଘରୋଇ ଶବବାହାକ ଗାଡ଼ିରେ ଶବ ନେଉଛନ୍ତି । ଏପ‌ଟେ ସଂପର୍କୀୟଙ୍କ ମୃତ୍ୟୁର ଦୁଃଖ, ତ ଅନ୍ୟପଟେ ଅଧିକ ଟଙ୍କା ନଦେଲେ ଶବ ନେବ‌ାକୁ ରାଜି ହେଉନାହାନ୍ତି ଘରୋଇ ଗାଡ଼ିଚାଳକ। ଏଭଳି ସ୍ଥିତିରେ ଅନେକ ସମୟରେ ଅର୍ଥାଭାବରୁ ଭିଟାମାଟିରେ ପହଞ୍ଚିପାରୁନି ଶବ । ଏହାକୁ ଦୃଷ୍ଟିରେ ରଖି କଟକ ବଡ଼ ଡାକ୍ତରଖାନାରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଯୋଜନା । ପ୍ରିପେଡ୍‌ ଅଟୋ ସେବା ଭଳି ଏଣିକି ଏସ୍‌ସିବିରେ ଆରମ୍ଭ ହେବ ପ୍ରିପେଡ୍‌ ଆମ୍ବୁଲାନ୍ସ ଓ ଶବବାହକ ଗାଡ଼ି ସେବା । ଗାଡ଼ି ମାଲିକମାନେ ଏସ୍‌ସିବି ସହ ସହବନ୍ଧିତ ହେବେ ଓ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସେମାନଙ୍କୁ ଭଡ଼ା ମିଳିବ । ଶବ ନେବା ପାଇଁ ସଂପର୍କୀୟ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଯୋଗାଯୋ‌ଗ କରିବା ପରେ ତୁରନ୍ତ ଗାଡ଼ି ମାଲିକଙ୍କୁ ଫୋନ୍‌ରେ ସୂଚନା ଦିଆଯିବ ଓ ରୋଗୀର ଶବ ଯେଉଁ ୱାର୍ଡ ବା ବ୍ୟବଚ୍ଛେଦ ସ୍ଥଳରେ ଥିବ ସେଠାରେ ପହଞ୍ଚି ଉକ୍ତ ଗାଡ଼ିଚାଳକ ଶବ ଠିକଣା ସ୍ଥାନରେ ପହଞ୍ଚାଇବେ । ସେମାନେ ଧାର୍ଯ୍ୟ ସରକାରୀ ମୂଲ୍ୟଠାରୁ ଅଧିକ ଟଙ୍କା ମଧ୍ୟ ସଂପର୍କୀୟଙ୍କ ଠାରୁ ନେଇପାରିବେ ନାହିଁ । ସେଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ତିନୋଟି ଫର୍ମ କରାଯିବା ଯାହା ଭିତରୁ ଗୋଟିଏ ମୃତକଙ୍କ ସଂପର୍କୀୟଙ୍କ ପାଖରେ, ଗୋଟିଏ ଗାଡ଼ି ଚାଳକଙ୍କ ପାଖରେ ଓ ତୃତୀୟଟି ଏସ୍‌ସିବି-ପୁଲିସ ପାଖରେ ରହିବ। ଆମ୍ବୁଲାନ୍ସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା କରାଯିବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ସୂଚନା ଦେଇଛନ୍ତି।