କଂଗ୍ରେସରୁ ନେତା ପୋଚିଂ ବିଜେଡିକୁ ପଡିବ ମହଙ୍ଗା

କଂଗ୍ରେସରୁ ନେତା ପୋଚିଂ ବିଜେଡିକୁ ପଡିବ ମହଙ୍ଗା

କଂଗ୍ରେସରୁ ନେତା ପୋଚିଂ ବିଜେଡିକୁ ପଡିବ ମହଙ୍ଗା

ଭୁବନେଶ୍ୱର : ଫାଇନାଲ ରୂପକ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ପଂଚାୟତ ଓ ପୌର ନିର୍ବାଚନ ସେମିଫାଇନାଲ ଲଢ଼ିବାକୁ ଯାଉଛନ୍ତି  । ୨୦୨୨ରେ ବାଜିମାତ କରି ସବୁଦଳ ୨୦୨୪ ପାଇଁ ପ୍ରସ୍ତୁତି କରିବାକୁ ଯୋଜନା କରିଛନ୍ତି  । ତେବେ ନିର୍ବାଚନୀ ରଣନୀତିରେ ସବୁବେଳେ ଆଗୁଆ ଥିବା ବିଜୁ ଜନତା ଦଳ ଏବେ ବିରୋଧୀଙ୍କୁ ଚକମା ଦେବାରେ ଲାଗିଛି  । ବିଶେଷକରି କଂଗ୍ରେସର ଟାଣୁଆ ନେତାଙ୍କୁ ନିଜ ଆଡ଼କୁ ନେଇ ସ୍ଥିତି ମଜବୁତ କରିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି  । କେତେକ କଂଗ୍ରେସ ନେତା ବିଜେଡ଼ିରେ ସାମିଲ ହୋଇଥିବାବେଳେ ଆଗକୁ ହେଭିୱେଟ ନେତା ବି ବିଜେଡ଼ିରେ ସାମିଲ ହେବେବୋଲି କୁହାଯାଉଛି  । ଗୋଟିଏ ପଟେ ଏଭଳି କରିବା ଦ୍ୱାରା ବିଜେଡ଼ିର ଶକ୍ତିବୃଦ୍ଧି ହେଉଛି ବୋଲି କେତେକ ରାଜନୀତିକ ସମୀକ୍ଷକ ମତପୋଷଣ କରିଥିବାବେଳେ ଅନ୍ୟପଟେ ଏହା ବିଜେଡ଼ି ପାଇଁ ମହଙ୍ଗା ପଡ଼ିବ ବୋଲି ଅନ୍ୟ କେତେକ ରାଜନୀତିକ ସମୀକ୍ଷକ ମତପୋଷଣ କରୁଥିବା ଲକ୍ଷ୍ୟ କରାଯାଉଛି  ।

କଂଗ୍ରେସରୁ ନେତା ପୋଚିଂ ବିଜେଡ଼ି ପାଇଁ ମହଙ୍ଗା ପଡ଼ିବାର ଅନେକ କାରଣ ରହିଛି  । ଶାସକ ବିଜୁ ଜନତା ଦଳରେ ଏବେ ବହୁ ଆଗଧାଡ଼ିର ନେତା ରହିଛନ୍ତି  । ଏତେ ନେତାଯେ, ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଟିକେଟ ବିତରଣ ବେଳେ ଆଶାୟୀମାନଙ୍କୁ ବୁଝାଇବା ପାଇଁ ଦଳ ନାକେଦମ ହୋଇପଡ଼ୁଛି  । ଏଭଳି ସ୍ଥିତିରେ ଅନ୍ୟ ଦଳରୁ ନେତାଙ୍କୁ ଆଣିଲେ ଦଳ ସେମାନଙ୍କୁ କେଉଁ ସ୍ଥାନ ଦେବ  । ଯଦି ପୁରୁଖା ବିଜେଡ଼ି ନେତାଙ୍କୁ ଅଣଦେଖା କରି କଂଗ୍ରେସରୁ ଆସିଥିବା ନେତାଙ୍କୁ ଗୁରୁତ୍ୱ ଦିଆଯାଏ ତେବେ ପୁରୁଖା ନେତାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ  । ଯଦି କଂଗ୍ରେସ ନେତାଙ୍କୁ ଗୁରୁତ୍ୱ ଦିଆନଯାଏ ତେବେ ବିଜେଡ଼ିକୁ ଗଲେ କିଛି ଫାଇଦା ନାହିଁ ବୋଲି ଅନେକ ନେତା ମନେକରିବେ  । ଏଭଳି ଏକ ଦୋଛକିରେ ବିଜେଡ଼ି ରହିବା ସ୍ୱାଭାବିକ  ।

କଂଗ୍ରେସରୁ ନେତା ପୋଚିଂ ବିଜେଡ଼ିକୁ କିଭଳି ମହଙ୍ଗା ପଡ଼ିବ ତାହାର ଏକ ଉଦାହରଣ ନିଆଯାଇପାରେ  । ନିକଟରେ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜେଡ଼ିରେ ସାମିଲ ହୋଇଛନ୍ତି  । ତାଙ୍କ ଭାଇ ବାସୁଦେବ ମାଝୀ ୮ ଥର ସେହି ଆସନରୁ ବିଜୟୀ ହୋଇଥିଲେ । ସେ ବି ଥରେ ଜିତିଥିଲେ  । କିନ୍ତୁ ଗତଥର ତାଙ୍କୁ ବିଜେଡ଼ି ନେତ୍ରୀ ପଦ୍ମିନୀ ଦିଆନ ପରାସ୍ତ କରିଥିଲେ  । ଅର୍ଥାତ ବିଜେଡ଼ିର ସ୍ଥିତି ମଜବୁତ ଥିବାବେଳେ ସେହି ନେତାଙ୍କୁ ଦଳ ଆଣିଲେ କି ଲାଭ ପାଇବ ? ବରଂ ଏହାଦ୍ୱାରା ତୃଣମୂଳସ୍ତରର ବିଜେଡ଼ି ନେତାମାନେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ  । ଫଳରେ ବିଜେଡ଼ି ଘାଟାରେ ପଡ଼ିବାର ଅଧିକ ଆଶଙ୍କା ରହିଛି  ।

ରାଜ୍ୟର ୯୦% ଅଂଚଳରେ ବିଜେଡ଼ିର ଶକ୍ତି ଅଧିକ ଥିବାବେଳେ ଅନ୍ୟ ଦଳରୁ ନେତା ଆଣିବା ଅପେକ୍ଷା ନିଜ ସଂଗଠନ ସଜାଡ଼ିବାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି  । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କଂଗ୍ରେସ ନେତାଙ୍କୁ ପୋଚିଂ କରିବାରୁ ଦଳର ସଂଗଠନ ପ୍ରଭାବିତ ହୋଇଥିଲା  । ଦଳର ପୁରୁଖା କର୍ମୀମାନେ ଦଳ ଉପରେ ଫିଡ଼ିକି ଯାଇଥିଲେ  । ଫଳରେ ପଂଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ବିଜେପି ସେଭଳି ପରାକାଷ୍ଠା ଦେଖାଇପାରିନଥିଲା  । ଯାହାର ପ୍ରଭାବ ଏବେବି ଦଳରେ ଅନୁଭୂତ ହେଉଛି  । ନୂଆ ପୁରୁଣା ବିବାଦ ବିଜେପିରେ ଲାଗି ରହିଛି । ବିଜେଡ଼ି ମଧ୍ୟ ଏଥିରୁ ଶିକ୍ଷା ଲାଭ କରିବା ଦରକାର ବୋଲି କେତେକ ବିଜେଡ଼ି ନେତା ନାମ ଗୋପନ ସର୍ତରେ ମତପ୍ରକାଶ କରିଛନ୍ତି  ।