କାର୍ଟୁନିଷ୍ଟ କିଶୋର ଆଉ ନାହାନ୍ତି
କାର୍ଟୁନିଷ୍ଟ କିଶୋର ଆଉ ନାହାନ୍ତି
ଭୁବନେଶ୍ୱର: ଆରପାରିରେ ଓଡିଶାର ଜଣାଶୁଣା କାର୍ଟୁନିଷ୍ଟ କଟାକ୍ଷ କିଶୋର। ୧୯୬୩ ମସିହାରେ ଜନ୍ମିତ କିଶୋର ରଥ ରାଜ୍ୟର ଜଣାଶୁଣା କାର୍ଟୁନିଷ୍ଟ ଭାବେ ପରିଚିତ ଥିଲେ । ରାଜ୍ୟର ପୁରାତନ କଳା ଶିକ୍ଷାନୁଷ୍ଠାନ ଖଲିକୋଟ ଆର୍ଟ କଲେଜରୁ ଫାଇନ୍ ଆର୍ଟସରେ ସ୍ନାତକ କରିବା ପରେ ଜଣେ ପେସାଦାର ଶିଳ୍ପୀଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଜଣେ ଚିତ୍ରଶିଳ୍ପୀ ହେବା ସହ ବ୍ୟଙ୍ଗ କବିତା ଲେଖିବାରେ ତାଙ୍କର ଅପୂର୍ବ ଦକ୍ଷତା ଥିଲା । ଚିତ୍ର ଓ ଶବ୍ଦ ସଂଯୋଜନାରେ ସମନ୍ୱିତ ଦକ୍ଷତା ତାଙ୍କୁ କାର୍ଟୁନ୍ ଆଙ୍କିବା ସହ କ୍ଷୁଦ୍ରକବିତା ଜରିଆରେ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବାରେ ସହାୟକ ହୋଇଥିଲା। ତାଙ୍କ ରଚିତ ବହୁ ବ୍ୟଙ୍ଗକବିତା ମଧ୍ୟ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।
ଆଜି ଭୋର ସମୟରେ ତାଙ୍କର ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କ ମୃତୁ୍ୟ ଘଟିଥିଲା। ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା । ହୃଦଘାତରେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି । ନିଜ କାର୍ଟୁନ ମାଧ୍ୟମରେ ସେ ଘରେ ଘରେ ପରିଚିତ ଥିଲେ ଓ ସାଧାରଣ ଜନତାଙ୍କ ସ୍ୱର ପାଲଟିଥିଲେ । ତେବେ ଏହିଭଳି ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ସାରା ଓଡିଶାରେ ଶୋକ ଛାୟା ଖେଳିଯାଇଛି ।




admin 