କେରଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟରେ ଲାଗୁ ହେବନି ସିଏଏ

କେରଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟରେ ଲାଗୁ ହେବନି ସିଏଏ

କେରଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟରେ ଲାଗୁ ହେବନି ସିଏଏ

ଥିରୁଅନନ୍ତପୁରମ: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ କେରଳରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଗୁରୁବାର ଘୋଷଣା କରିଛନ୍ତି। କ୍ରମାଗତ ଦ୍ୱିତୀୟଥର ପାଇଁ କେରଳରେ କ୍ଷମତା ଦଖଲ କରିଥିବା ବିଜୟନ ସରକାରଙ୍କ ବର୍ଷପୂର୍ତ୍ତି ପାଇଁ ଗୋଟିଏ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି,ସିଏଏକୁ ନେଇ କେରଳ ସରକାର ନିଜର ଆଭିମୁଖ୍ୟ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି। ଏହି ଆଭିମୁଖ୍ୟ ଆଗକୁ ମଧ୍ୟ ଜାରି ରହିବ। କେରଳରେ କେବେ ହେଲେ ସିଏଏ ଲାଗୁ ହେବନି।

ଲୋକଙ୍କ ମଧ୍ୟରେ ଧାର୍ମିକ ବିବାଦ ସୃଷ୍ଟି କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ସର୍ଭେ କରାଯାଉଛି। କିନ୍ତୁ ଏଠାରେ ସମାଜର ସବୁଠାରୁ ଗରିବ ପରିବାର ଚିହ୍ନଟ କରିବାକୁ ସର୍ଭେ ଶେଷ କରାଯାଇଛି। ଏହି ସର୍ଭେର ପରବର୍ତ୍ତୀ ପଦକ୍ଷେପ ଖୁବଶୀଘ୍ର ଘୋଷଣା କରାଯିବ।”

ଏଲଡିଏଫ ସରକାରର ବର୍ଷପୂର୍ତ୍ତି କାର୍ୟ୍ୟକ୍ରମ ଅବସରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପୁଣିଥରେ କହିଛନ୍ତି ଯେ ରାଜ୍ୟରେ କେବେ ହେଲେ ଧର୍ମକୁ ଆଧାର କରି ନାଗରିକତ୍ୱ ସର୍ଭେ ହୋଇ ପାରିବ ନାହିଁ। ସିଏଏ ଏଠାରେ ଲାଗୁ ହେବନି ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ମହାମାରୀ କରୋନାର ପ୍ରଭାବ ହ୍ରାସ ପାଇବା ପରେ ସମଗ୍ର ଦେଶରେ ସିଏଏ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ମାସରେ ପଶ୍ଚିମବଙ୍ଗର ସିଲିଗୁଡ଼ି ଠାରେ ଘୋଷଣା କରିଥିଲେ। ୨୦୧୯ ଡିସେମ୍ବର ୧୧ରେ ସଂସଦରେ ସିଏଏ ପାରିତ ହୋଇଥିଲା। କିନ୍ତୁ ଏଯାଏ ଦେଶରେ ଏହା ଲାଗୁ ହୋଇପାରିନି।