ଗିରଫ ହେଲେ ଅମୃତପାଲଙ୍କୁ ଆଶ୍ରୟ ଦେଇଥିବା ମହିଳା
ଚଣ୍ଡିଗଡ: ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହ ଓ ତାଙ୍କ ସହଯୋଗୀ ପାପଲପ୍ରୀତ ସିଂହଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଜଣେ ମହିଳାଙ୍କୁ ହରିୟାଣା ପୁଲିସ ଗିରଫ କରିଛି। ଗିରଫ ମହିଳା ହେଉଛନ୍ତି ବଲଜିତ କୌର। ପୁଲିସ କହିଛି ଯେ ଗତ ରବିବାର ଅମୃତପାଲ ପଞ୍ଜାବରୁ ଫେରାର ହୋଇ ହରିୟାଣା ଚାଲିଆସିବା ପରେ ବଲ୍ଜିତ ଘରେ ଆଶ୍ରୟ ନେଇଥିଲେ। ବଲଜିତ୍ଙ୍କୁ ଏବେ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଥିବା କୁରୁକ୍ଷେତ୍ର ଏସପି ସୁରିନ୍ଦର ସିଂହ ଭୋରିଆ କହିଛନ୍ତି। ସେହିପରି ଅମୃତପାଲଙ୍କ ସୁରକ୍ଷା ଦାୟିତ୍ବରେ ଥିବା ତେଜିନ୍ଦର ସିଂହ ଗିଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେଜିନ୍ଦରଙ୍କ ଘର ଲୁଧିଆନା ଜିଲାର ଖାନ୍ନା ଅଞ୍ଚଳରେ। ତେଜିନ୍ଦର ପାଖରେ ଅସ୍ତ୍ରଶସ୍ତ୍ର ରଖିବାର ଲାଇସେନ୍ସ ନଥିବାବେଳେ ସେ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥାଏ। ବର୍ତ୍ତମାନ ସୁଦ୍ଧା ଅମୃତପାଲଙ୍କ ୨୦୭ ଜଣ ସହଯୋଗୀଙ୍କୁ ଗିରଫ କରାଗଲାଣି। ଅନ୍ୟପଟେ ଅମୃତପାଲଙ୍କୁ ଗିରଫ ଲାଗି ପଞ୍ଜାବ ପୁଲିସ ଶନିବାର ଠାରୁ ଚଢଉ ଜାରି ରଖିଥିବାବେଳେ ଏଥିରେ ସଫଳ ହୋଇପାରି ନାହିଁ।




admin 