ଚାକିରି ଦେବା ନାଁରେ ୨ ଶହ ଲୋକଙ୍କୁ ଠକେଇ
ଭୁବନେଶ୍ଵର : ଚାକିରି ଦେବା ନାଁରେ ୨ ଶହ ଲୋକଙ୍କୁ ଠକେଇ। ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ। ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଏବଂ ଅରୁଣ ମହାନ୍ତି ଗିରଫ ହୋଇଛନ୍ତି। ସେମାନେ ନିଜକୁ ସାମ୍ବାଦିକ ପରିଚୟ ଦେଇ ବହୁ ସରକାରୀ ପଦ ପଦବୀରେ ଚାକିରି ଦେବାର ଲାଳସା ଦେଖାଇ ଯୁବକ ଯୁବତୀମାନଙ୍କୁ ଠକିଛନ୍ତି। ରାଜକିଶୋର ପଟ୍ଟନାୟକ ଏବଂ ଅରୁଣ ମହାନ୍ତି ଲୋକସେବା ଭବନ, ରାଜଭବନ, ଶିକ୍ଷା ବିଭାଗ, ଶକ୍ତି ବିଭାଗ, ଟ୍ରାଫିକ୍ ପୋଲିସ, ଅବକାରୀ ବିଭାଗ, କେନ୍ଦ୍ରୀୟ ବିଦ୍ୟାଳୟ, ଇନକମ ଟ୍ୟାକ୍ସ ବିଭାଗରେ ପିଅନ, କିରାଣୀ, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ କହି ଠକୁଥିଲେ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ବହୁ ଫେକ୍ ସରକାରୀ ଡକ୍ୟୁମେଣ୍ଟ ଜବତ ହୋଇଛି। ଜାଲ୍ ନିଯୁକ୍ତି ପତ୍ର, ଲୋକସେବା ଭବନର ଜଏନିଂ ଲେଟର, ସିଲ୍, ବାୟୋଡାଟା, ମାର୍କ ସିଟ୍, ଏବଂ ଆବେଦନ ପତ୍ର ମଧ୍ୟ ଜବତ ହୋଇଛି।
ପ୍ରକାଶ ଥାଉକି, ରାଜକିଶୋର ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ଭବାନୀ ଶଙ୍କର ଦାସଙ୍କ ବିରୋଧରେ ଭୁବନେଶ୍ଵରର କୁମୁଦିନୀ ସାହୁ ନାମକ ଜଣେ ଯୁବତୀ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଏହି ୩ ଜଣ ତାଙ୍କୁ ରାଜ୍ୟ ସରକାରଙ୍କ ନକଲି ନିଯୁକ୍ତିପତ୍ର, ଲୋଗୋ ଏବଂ ସିଲ୍ ଦେଖାଇ ଚାକିରି ଦେବାକୁ କହି ୮ ଲକ୍ଷ ୧୫ ହଜାର ଟଙ୍କାର ଠକେଇ କରିଛନ୍ତି। ରାଜକିଶୋର କୁମୁଦିନୀଙ୍କୁ ରାଜଭବନରେ କିରାଣୀ ଚାକିରି ଦେବାକୁ କହି ୬ ଲକ୍ଷ ଟଙ୍କା ମାଗିଥିଲେ। ଅଗ୍ରିମ ଭାବେ ୨ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଟଙ୍କା ପାଇସାରିବା ପରେ ଆଉ ଧରାଛୁଆଁ ଦେଇନଥିଲେ। ଏହାପରେ କୁମୁଦିନୀ ଅରୁଣ ମହାନ୍ତି ଏବଂ ଭବାନୀ ଶଙ୍କର ଦାସଙ୍କ ସମ୍ପର୍କରେ ଆସିଥିଲେ। ଅରୁଣ ମହାନ୍ତି ତାଙ୍କୁ ଏକ ସପ୍ତାହ ମଧ୍ୟରେ ଚାକିରି କରାଇ ଦେବେ ବୋଲି ପ୍ରତିଶୃତି ଦେଇ ୭ ଲକ୍ଷ ଟଙ୍କା ମାଗିଥିଲେ। କୁମୁଦିନୀ ଟଙ୍କା ମଧ୍ୟ ଦେଇଥିଲେ ହେଲେ ଚାକିରି ପାଇନଥିଲେ।




admin 